ସୀମାରେ ନୂଆ ଷଡଯନ୍ତ୍ର କରୁଛି ଚୀନ: ଏଲଏସି ନିକଟରେ କରୁଛି ପ୍ରତିରକ୍ଷା ଗାଁ

116

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଚୀନର ନୂଆ ଷଡଯନ୍ତ୍ର । ବାସ୍ତବନିୟନ୍ତ୍ରଣ ରେଖାଠୁ ବାସ କିଛି ଦୂରରେ ଡ୍ରାଗନ ନିର୍ମାଣ କରୁଛି ପ୍ରତିରକ୍ଷା ଗାଁ । ସୂଚନା ଅନୁସାରେ ଉତରାଖଣ୍ଡଠୁ କେବଳ ୧୧କିଲୋମିଟରରେ ଦୂରରେ ଚୀନ ଏହି ପ୍ରତିରକ୍ଷା ଗାଁ ନିର୍ମାଣ କରୁଛି । ସୀମା ନିକଟରେ ନିଜର ପ୍ରତିରକ୍ଷା ଭିତିଭୂମିକୁ ଅଧିକ ମଜବୁତ କରିବାରେ ଲାଗିପଡିଛି ଡ୍ରାଗନ । ଏବେ ସୁଦ୍ଧା ଡ୍ରାଗନ ୨୫୦ ଘର ନିର୍ମାଣ କରିସାରିଥିବା କୁହାଯାଇଛି ।

ଚୀନର ଏହି ଚାଲ ନୂଆ ନୁହେଁ । ପୂର୍ବରୁ ଉତରାଖଣ୍ଡସୀମାଠୁ ୩୫ କିଲୋମିଟର ଦୂରରେ ଚୀନ ୫୫ରୁ ଅଧିକ ଘର ନିର୍ମାଣ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିସାରିିଛି । ସବୁଠୁ ଚିନ୍ତାଜନକ କଥା ହେଉଛି ଚୀନ ସୀମା ନିକଟରେ ଏହିଭଳି ୭ଶହରରୁ ଅଧିକ ଘର ନିର୍ମାଣ କରି ପ୍ରତିରକ୍ଷା ଗାଁ କରିବାକୁ ଲକ୍ଷ୍ୟ ରଖିଛି ।

ସୂଚନା ଅନୁସାରେ ଏଲଏସିର ପୂର୍ବ-ସେକ୍ଟରରେ ଡ୍ରାଗନ ଏଭଳି ୪ଶହ ଘର ନିର୍ମାଣ କରିସାରିଲାଣି । ଚୀନ ସେନା ଅର୍ଥାତ ପିଏଲଏର ତତ୍ୱାବଧାନରେ ଜୋରସୋରରେ ଚାଲିଛି ନିର୍ମାଣକାର୍ଯ୍ୟ । ସମସ୍ତ ପ୍ରକାର ସ୍ଥିତିରେ ଭାରତୀୟ ସେନାର ମୁକାବିଲା କରିବା ଅତ୍ୟାଧୁନିକ କଳାକୌଶଳରେ ଚୀନ ଏହି ଘରଗୁଡିକ ପ୍ରସ୍ତୁତ କରୁଛି  ଗୋଟେପଟେ ଚୀନ ସୀମାରେ ନିକଟରେ ପ୍ରତିରକ୍ଷା ଗାଁ ନିର୍ମାଣ କରୁଥିବାବେଳେ ଭାରତ ମଧ୍ୟ ସଜାଗ ହୋଇଛି । ମୁକାବିଲା ପାଇଁ ଭାରତ ଲଦାଖ ସୀମା ନିକଟରେ କରୁଛି ଭାଇବ୍ରେଂଟ ଭିଲେଜ ।

ଉତ୍ତରାଖଣ୍ଡ ଓ ସୀମାବର୍ତୀ ଅନ୍ୟ ରାଜ୍ୟରେ ଭାଇବ୍ରାଂଟ୍ ଭିଲେଜ ନିର୍ମାଣ ପାଇଁ ବଡ ଧରଣର ଯୋଜନା ପ୍ରସ୍ତୁତ କରୁଛି ଭାରତ । ଏହା ପାଇଁ କେନ୍ଦ୍ର ସରକାର ବଜେଟ ମଧ୍ୟ ଘୋଷଣା କରିଛନ୍ତି । ହିମାଚଳ ସୀମା ନିକଟରେ ୮୦ ଗାଁ, ସିକିମ ସୀମାରେ ୫୦ ଗାଁ ଓ ଅରୁଣାଚଳପ୍ରଦେଶରେ ୧୨୦ ଗାଁକୁ ବିକଶିତ କରାଯାଇ ଭାଇବ୍ରାଂଟ୍ ଭିଲେଜର ନିର୍ମାଣ କରୁଛନ୍ତି ଭାରତ ସରକାର ।

ଉତରାଖଣ୍ଡ ଉପରେ ଚୀନର ନଜର ପଡିବା ପଛରେ ଅନ୍ୟ ଏକ ବଡ କାରଣ ରହିଛି । ରାଜ୍ୟରେ ରୋଜଗାର ଅଭାବ ଓ ମୌଳିକ ସୁବିଧା ଅଭାବ ଯୋଗୁଁ ରାଜ୍ୟବାସୀ ନିଜ ଘର ଦ୍ୱାର ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି । ଏହାର ଫାଇଦା ଉଠାଇବାକୁ ଯାଇ ଚୀନ ଏବେ ଏହି ଷଡଯନ୍ତ୍ର ଆରମ୍ଭ କରିଛି । ଏଠାରେ ନିଜର ପତିଆରାର ବୃଦ୍ଧି ପାଇଁ ପ୍ରତିରକ୍ଷା ଗାଁ ନିର୍ମାଣ କରୁଛି ।