ଚୀନ ପଟୁ ବିପଦ ବଢୁଛି : ଉତ୍ତରାଖଣ୍ଡରେ ଏୟାର ଡିଫେନ୍ସ ରାଡାର, ବିମାନଘାଟି ନିର୍ମାଣ କରିବ ବାୟୁସେନା

428

କନକ ବ୍ୟୁରୋ : ଚୀନ ଏବେ ଭାରତର ପ୍ରମୁଖ ଶତ୍ରୁ ପାଲଟିଛି । ନିକଟ ଭବିଷ୍ୟତରେ ଚୀନ ସହ ଥିବା ସୀମା ବିବାଦର ସମାଧାନ ହେବାର ସମ୍ଭାବନା କମ ଥିବାରୁ ଆଗାମୀ ବର୍ଷ ଗୁଡ଼ିକରେ ମଧ୍ୟ ଚୀନ ଆଡୁ ଭାରତ ପ୍ରତି ବିପଦ ଜାରି ରହିବ ବୋଲି ଭାରତୀୟ ପ୍ରତିରକ୍ଷା ବାହିନୀ ମନେ କରୁଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସହ ଲାଗିଥିବା ସବୁ ରାଜ୍ୟଗୁଡ଼ିକରେ ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ଏହି ଯୋଜନା ଅଧିନରେ ଉତ୍ତରାଖଣ୍ଡରେ ଏୟାର ଡିଫେନ୍ସ ରାଡାର ଓ ଯୁଦ୍ଧ ବିମାନ ଘାଟି ନିର୍ମାଣ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୩ଟି ସୀମାବର୍ତ୍ତି ଜିଲ୍ଲା ଚମୋଲି, ପିଥୋରାଗଡ଼ ଓ ଉତ୍ତରକାଶୀରେ ଏୟାର-ଡିଫେନ୍ସ ରାଡାର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ ପାଇଁ ଜମି ଚିହ୍ନଟ ଓ ଆବଣ୍ଟନ ଲାଗି ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ଵତଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

ଜମି ଚିହ୍ନଟ ଲାଗି ରାଜ୍ୟ ସରକାର ତିନୋଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରିବେ । ନୂଆ ବିମାନଘାଟିଟି ଚଉଖୁଟିଆଠାରେ ନିର୍ମାଣ ହେବ । ଏହାଛଡ଼ା ପନ୍ତନଗର, ଜଲିଗ୍ରାଣ୍ଟ ଓ ପିଥୋରାଗଡ଼ଠାରେ ଥିବା ବିମାନବନ୍ଦରଗୁଡ଼ିକର ସମ୍ପ୍ରସାରଣ କରାଯିବାକୁ ପ୍ରସ୍ତାବ ରହିଛି । ଏସବୁ ଭିତ୍ତିଭୂମି ନିର୍ମାଣ କରି ଭାରତ ଚୀନ ପଟୁଥିବା ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ।