ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ: କହିଲେ, ପୂର୍ବ ଲଦାଖରେ ସେନା ସଂଖ୍ୟା ବୃଦ୍ଧି କରୁଛି ଚୀନ

114

କନକ ବ୍ୟୁରୋ: ପୂର୍ବ-ଲଦାଖ ଗସ୍ତରେ ଥିବା ସ୍ଥଳ ସେନା ମୁଖ୍ୟ ଶନିବାର ଭାରତର ଦୁଇ ପଡୋଶୀ ରାଷ୍ଟ୍ରକୁ ଦେଇଛନ୍ତି କଡା ଚେତାବନୀ । ସୀମାରେ ସ୍ଥିତି ପରଖିବାକୁ ଯାଇଥିବା ସେନା ମୁଖ୍ୟ ଏମ ଏମ ନରଭଣେ, କହିଛନ୍ତି ସୀମାରେ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ । ତେବେ ଲଦାଖ ସୀମାରେ ଚୀନ ଓ ଭାରତୀୟ ଯବାନଙ୍କ ଭିତରେ ଚାଲିଥିବା ମୁହାଁମୁହିଁ ପରିସ୍ଥିତିରେ ଏବେ ଧିରେ ଧିରେ ସୁଧାର ଆସୁଥିବା କହିଛନ୍ତି ଜେନେରାଲ ନରଭଣେ । ଗତ ୬ ମାସ ହେବ ସୀମାରେ ଦୁଇ ଦେଶ ସେନା ମଧ୍ୟରେ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ।

ଚୀନ ସହ ପାକିସ୍ତାନକୁ ମଧ୍ୟ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ନରଭଣେ । କହିଲେ ପାକିସ୍ତାନ ଆର୍ମି ଯଦି ଆତଙ୍କବାଦୀଙ୍କୁ ସମର୍ଥନ କରିବା ବନ୍ଦ କରି ଦିଅନ୍ତା ତାହାଲେ ଆତଙ୍କବାଦ ଶେଷ ହୋଇ ପାରନ୍ତା । ତେବେ ପାକିସ୍ତାନ ପଟୁ ସୀମାରେ କରାଯାଉଥିବା ସବୁ ଆତଙ୍କୀ ଗତିବିଧିକୁ ରୋକିବାରେ ସଫଳ ହେଉଛନ୍ତି ଭାରତୀୟ ଯବାନ । କେବଳ ସେତିକି ନୁହେଁ ଗତ ଫେବୃୟାରୀ ମାସରୁ ଜମ୍ମୁ କାଶ୍ମୀର ସୀମାରେ ପାକ୍ ପଟୁ ସିଜ୍ ଫାୟାର ମଧ୍ୟ ହୋଇ ନଥିବା କହିଛନ୍ତି ସେନା ମୁଖ୍ୟ ।

ଗୋଟିଏ ପଟେ ଚୀନ ସହ ଆଲୋଚନା ଜରିଆରେ ସୀମା ବିବାଦ ସମାଧାନ କରିବାକୁ ଭାରତ ଅଂଟା ଭିଡିଥିବାବେଳେ, ସେପଟେ ଚୀନ କିନ୍ତୁ ଭାରତ ସହ କରୁଛି ବେଇମାନି । ସୀମାରେ ସେନା ଠୁଳ କରିବାରେ ଲାଗିଛି ଡ୍ରାଗନ । ତେବେ ଏହାକୁ ନେଇ ସେନା ମୁଖ୍ୟ କହିଛନ୍ତି ସୀମାରେ ସବୁ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଭାରତୀୟ ଯବାନ । କେବଳ ସେତିକି ନୁହେଁ ଏଣିକି ଶତ୍ରୁକୁ କଡା ଜବାବ ଦେବ ଭାରତର ଶକ୍ତିଶାଳୀ ଟ୍ୟାଙ୍କ କେ-ନାଇନ୍ ବଜ୍ର ।
ସୀମା ବିବାଦ ଭିତରେ ପଡୋଶୀଙ୍କୁ ଜବାବ ଦେବା ପାଇଁ ସେନା ପକ୍ଷରୁ ମୁତୟନ କରାଯାଇଥିବା ଶକ୍ତିଶାଳୀ ଟ୍ୟାଙ୍କ ବଜ୍ରର ରହିଛି ଖାସ ବିଶେଷତ୍ୱ ।
– ଲଦାଖର ଫରୱାର୍ଡ ପୋଷ୍ଟରେ ମୁତୟନ ହେଲା ବଜ୍ର
– ୫୦ କିଲୋମିଟର ଦୁରରୁ ଲକ୍ଷଭେଦ କରିବାରେ ସକ୍ଷମ ବଜ୍ର
– ୩୦ ସେକେଣ୍ଡରେ ଫାୟାର କରିବ ୩ଟି ଗୋଳା
– ୩ ମିନିଟ୍ ୧୫ ରାଉଣ୍ଡ ଭୀଷଣ ଗୋଳାବର୍ଷା କରିପାରିବ ବଜ୍ର
– ଭାରତୀୟ ଘରୋଇ ଉତ୍ପାଦ ଦ୍ୱାରା ପ୍ରସ୍ତୁତ ହୋଇଛି କେ୯- ବଜ୍ର