ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ଗମ୍ଭୀର ସ୍ଥିତି । ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟ୍ର ସାମରିକ ପ୍ରସ୍ତୁତିର ସମୀକ୍ଷା କଲେ ଚୀନ୍ ରାଷ୍ଟ୍ରପତି

284

କନକ ବ୍ୟୁରୋ : ବଢିଲା ଭାରତ-ଚୀନ୍ ତିକ୍ତତା । ପୂର୍ବ ଲଦାଖ ଓ ଅରୁଣାଚଳ ସୀମାରେ ଚୀନ୍ ସେନାର ଉତେଜନା ସୃଷ୍ଟିକାରୀ ପଦକ୍ଷେପ ଏବେ ଦୁଇ ଦେଶର ତିକ୍ତତାକୁ ବଢାଇ ଦେଇଛି । ଚୀନ୍ ସେନାର ବେଆଇନ ନିର୍ମାଣକୁ ନେଇ ସୀମାରେ ଏବେ ସ୍ଥିତି ଗମ୍ଭୀର ହୋଇ ପଡିଛି । ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟ୍ର ସାମରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଚୀନ୍ ରାଷ୍ଟ୍ରପତି । ଭାରତ ସୀମାରେ ଚୀନ୍ର ଯୁଦ୍ଧ ବିମାନ ମୁତୟନ, ସ୍ଥାୟୀ ଶିବିର ନିର୍ମାଣ, ସାମରିକ ପରିବହନ ଏବଂ ଯୋଗାଣ ବାବଦରେ ଜିନପିଙ୍ଗ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି । ପିଏଲଏ ମୁଖ୍ୟାଳୟରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଜିନପିଙ୍ଗ ଯବାନଙ୍କୁ ଉଦବୋଧନ ଦେଇଛନ୍ତି ।

ପିଏଲଏର ସୁପ୍ରିମ କମାଣ୍ଡର ଜିନପିଙ୍ଗ ସୈନିକଙ୍କୁ ସାମରିକ ପ୍ରସ୍ତୁତି ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ । ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ସ୍ଥିତି ଏବଂ ପ୍ରତିକୂଳ ପାଣିପାଗ ସମ୍ପର୍କରେ ମଧ୍ୟ ଜିନପିଙ୍ଗଙ୍କୁ ଅବଗତ କରାଯାଇଥିଲା । ପୂର୍ବ ଲଦାଖରେ ୨୦୨୦ ମେ’ ୫ ତାରିଖରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ପୂର୍ବ ଲଦାଖ ସୀମା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ୧୭ ରାଉଣ୍ଡ କଥାବର୍ତା କରିଥିଲେ ମଧ୍ୟ ବିଫଳ ହୋଇଛି । ସେପଟେ ଭାରତ ମଧ୍ୟ ସତର୍କ ରହିଛି । ସୀମାରେ ଭାରତୀୟ ସେନା ସଜାଗ ରହିଛି । ଉତର-ପୂର୍ବରେ ଭାରତୀୟ ବାୟୁସେନା ଖୁବଶୀଘ୍ର ସମରାଭ୍ୟାସ କରିବ ।