ଚୀନରେ ପୁଣି ବ୍ୟାପିଲା ମହାମାରୀ କରୋନା । ସିଲ୍ ହେଲା ପୂରା ସହର । ଲୋକଙ୍କୁ ବାହାରକୁ ଯିବାକୁ ମନା…

476

କନକ ବ୍ୟୁରୋ: କିଛି ଦିନର ନୀରବତା ପରେ ଏବେ ପୁଣିଥରେ ଚୀନରେ ବ୍ୟାପିବାରେ ଲାଗିଛି ମହାମାରୀ କରୋନା ଭାଇରସ । ଯେଉଁ କାରଣରୁ ଚୀନର ଏକ ସହରକୁ ସିଲ ମଧ୍ୟ କରିବାକୁ ପଡିଛି । ଖାଲି ସେତିକି ନୁହେଁ, ଲୋକମାନଙ୍କୁ ମଧ୍ୟ ସହର ଛାଡି ବାହାରକୁ ଯିବାକୁ ମନା କରିଛି ପ୍ରଶାସନ । ଯାହା ଏବେ ବିଶ୍ୱବାସୀଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି ।

ଚୀନର ଫୁଜିୟାନ ସହରରେ ଏବେ କରୋନା ସଂକ୍ରମଣର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କୁହାଯାଉଛି, ସେଠାରେ କରୋନାର ଡେଲଟା ଭାରିଆଣ୍ଟ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ଫୁଜିୟାନ ସହରର ଜନସଂଖ୍ୟା ୩.୨ ମିଲିୟନ ହୋଇଥିବାରୁ ଏହା ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ସଂକ୍ରମଣ ରୋକିବାକୁ ଏବେ ସେଠାକୁ ନ୍ୟାସନାଲ ହେଲଥ୍ ଅଥରିଟିର ଏକ ଏକ୍ସପର୍ଟ ଟିମକୁ ପଠାଯାଇଛି । ତା ସହିତ ହଲ, ଜିମ୍, ରାଜପଥ ଏବଂ ସ୍କୁଲ ଆଦିକୁ ପ୍ରଶାସନ ବନ୍ଦ କରିଦେଇଛି ।

ଚୀନର ନ୍ୟାସନାଲ ହେଲଥ କମିସନ ମୁତାବକ, ୧୦ରୁ ୧୨ ସେପ୍ଟେମ୍ବର ଭିତରେ ଫୁଜିୟାନ ସହରରୁ ୪୩ ନୂଆ ମାମଲା ଚିହ୍ନଟ ହୋଇଛି । ଯେଉଁଥିରୁ ୩୨ ଜଣ ଲକ୍ଷଣ ହୀନ ରୋଗୀ । ତେବେ ମିଳିଥିବା ସୂଚନା ମୁତାବକ, ସେପ୍ଟେମ୍ବର ୧୨ ସୁଦ୍ଧା ଚୀନରୁ ମୋଟ ୯୫,୨୪୮ ମାମଲା ଚିହ୍ନଟ ହୋଇଥିବାବେଳେ ୪୬୩୬ ଜଣଙ୍କର ମୃତ୍ୟୁ ଘଟିଛି ।