ଔଷଧ ପାଇଁ ବ୍ୟବହୃତ କଞ୍ଚାମାଲର ଦର ବୃଦ୍ଧି କଲା ଚୀନ : ଭାରତୀୟ ଔଷଧ ବଜାରରେ ପଡିବ ସିଧା ପ୍ରଭାବ, ବଢିପାରେ ଔଷଧର ମୂଲ୍ୟ

2,301
କନକ ବ୍ୟୁରୋ : ଥମୁନି ଭାରତ-ଚୀନ ବିବାଦ । ଚାଇନା ଆପକୁ ଭାରତ ବ୍ୟାନ କଲା ପରେ ଔଷଧ ତିଆରି ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ଦର ବୃଦ୍ଧି କଲା ଚୀନ । ଯାହା ଫଳରେ ଭାରତୀୟ ବଜାରରେ ଔଷଧର ମୂଲ୍ୟ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ବିଶେଷଞ୍ଜମାନେ ମତ ଦେଇଛନ୍ତି । ଭାରତ ଓ ଚୀନ ଭିତରେ ଚାଲିଥିବା ବିବାଦ ପାଇଁ ଭାରତୀୟ ବଜାରରେ ଔଷଧ ମହଙ୍ଗା ହେବାକୁ ଯାଉଛି । ଏହା ସତ୍ୟ ଯେ ଭାରତସରକାର ଯେତେ କଟକଣା ଚୀନ ପାଇଁ ଲଗାଇଲେ ବି ଚୀନ ଉପରେ ନିର୍ଭର ନକରି ଏତେ ଶିଘ୍ର ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ ନାହିଁ । ଭାରତରେ ବହୁଗୁଡିଏ କମ୍ପାନୀ ଔଷଧ ତିଆରି କରୁଥିଲେ ବି ଔଷଧ ନିର୍ମାଣରେ ଦରକାର ପଡୁଥିବା କଞ୍ଚାମଲ ଏକ ବଡ ଭାଗ ଚୀନ ଠାରୁ ଆମଦାନୀ କରାଯାଏ ।
ଏଭଳି ସ୍ଥଳେ ଭାରତୀୟ ବଜାରକୁ ଦୃଷ୍ଟିରେ ରଖି ଚୀନ ଏହି କଞ୍ଚାମାଲର ଦର ୧୦ ରୁ ୨୦ ପ୍ରତିଶତ ବୃଦ୍ଧି କରିଛି । ଯାହାର ସିଧା ସଳଖ ପ୍ରଭାବ ଭାରତୀୟ ଔଷଧ ବଜାରରେ ପଡିବାକୁ ଯାଉଛି । ଆଗାମୀ ୨ ମାସ ଭିତରେ ଯେବେ ଔଷଧ କମ୍ପାନୀ ମାନେ ସେମାନଙ୍କର କଞ୍ଚାମାଲ ଚୀନ ଠାରୁ କିଣିବେ ସେମାନଙ୍କୁ ଏହି ଉଚ୍ଚା ଦରରେ କଣିବାକୁ ପଡିବ । ଫଳରେ ଭାରତୀୟ ବଜାରରେ ଔଷଧର ମୂଲ୍ୟ ସେହି ପରିମାଣରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।