ଲଦ୍ଦାଖରେ ଉତେଜନା ପରେ ଏଲଏସିରେ ଚୀନ ଠୁଳ କରୁଛି ସେନା : ଚୁସୁଲର ଅପରପାଶ୍ୱର୍ରେ ସଂଖ୍ୟାଧିକ ସଶସ୍ତ୍ର ସେନା ମୁତୟନ କରିଛି ବେଜିଂ; ଆଜି ଏଲଏସିର ଆଗୁଆ ଘାଟି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ସ୍ଥଳ ସେନାମୁଖ୍ୟ

239

କନକ ବ୍ୟୁରୋ : ପୂର୍ବ ଲଦାଖର ଚୁସୁଲ ସେକ୍ଟର ଅପର ପକ୍ଷରେ ସଂଖ୍ୟାଧିକ ସେନା ଠୁଳ କରୁଛି ଚୀନ । ଏଲଏସିର ପୂର୍ବ ଲଦାଖ ଅଂଚଳର ଥାକୁଙ୍ଗ ଠାରୁ ଲେକିଙ୍ଗ-ଲା ଯାଏଁ ଉଚ୍ଚ ପାର୍ବତ୍ୟ ଅଂଚଳ ତଥା ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଘାଟିଗୁଡିକରେ ଭାରତୀୟ ସେନାଙ୍କ କବଜା ପରେ ଚୀନ ବିଚଳିତ ହୋଇଛି । ଚୀନର ସେନାର ମନ୍ଦ ଉଦ୍ଦେଶ୍ୟକୁ ଠଉରାଇ ଭାରତୀୟ ଯବାନ ଆଗୁଆ ଘାଟିଗୁଡିକରେ ଉପସ୍ଥିତ ଥିବାରୁ ଡ୍ରାଗନର ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ । ସାମରିକ ରଣନୀତି ଦୃଷ୍ଟିକୋଣରୁ ଭାରତର ପଲା ଭାରି ପଡୁଥିବା ଦେଖି ବେଜିଂ ଏବେ ଚୁସୁଲ ସେକ୍ଟରର ଅପର ପାଶ୍ୱର୍ରେ ସଂଖ୍ୟାଧିକ ସଶସ୍ତ୍ର ସେନା ଠୁଳ କରି ଶକ୍ତି ବଢାଉଛି । ଏଲଏସିର ଦୁଇ ପଟେ ଦୁଇ ଦେଶର ବିପୁଳ ସେନା ମୁତୟନ ଯୋଗୁଁ ଉତେଜନା ମଧ୍ୟ ବଢିଛି ।

ଆଉ ଏପରି ସମୟରେ ସେନା ମୁଖ୍ୟ ଏମଏମ ନରବଣେ ଚୁସୁଲ ସେକ୍ଟର ଗସ୍ତ କରି ସୀମାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ନର୍ଦନ କମାଣ୍ଡର ଚିଫ ଲେଫ୍ଟନାଂଟ ଜେନେରାଲ ୱାଇକେ ଜୋଶୀ, ଫୋରଟିନ କ୍ରପ୍ସ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ହରିନ୍ଦର ସିଂ ଓ ଅନ୍ୟ ସେନା ଅଧିକାରୀଙ୍କ ସହ ସେନାଧ୍ୟକ୍ଷ ଆଜି ସୀମାନ୍ତ ପୋଷ୍ଟ ଗୁଡିକୁ ଯାଇ ସ୍ଥିତି ସମୀକ୍ଷା କରିବା ସୂଚନା ରହିଛି । ଆଜି ଲଦାଖରୁ ଦିଲ୍ଲୀ ଫେରି ଆସିବା ଆଗରୁ ଏଲଏସି ନିକଟ ସେନା ପୋଷ୍ଟ ଗୁଡିକୁ ଯାଇ ସୀମା ସୁରକ୍ଷା ସଂପର୍କରେ ସମୀକ୍ଷା କରିବେ ଏମଏମ ନରବଣେ ।

ଲଦାଖଠୁ ଅରୁଣାଚଳପ୍ରଦେଶ ଯାଏଁ ଲମ୍ବିଥିବା ୩ ହଜାର ୪୪୮ କିମି ଚୀନ ସୀମା ବା ଏଲଏସିରେ ଏବେ ଉତେଜନା ଚରମ ସୀମାକୁ ଛୁଇଁଛି । ସେପଟେ ଏୟାର ଚିଫ ମାର୍ଶଲ ଆର କେ ଏସ ଭଦୋରିଆ ଇଷ୍ଟର୍ଣ୍ଣ ସେକ୍ଟରର ହାସିମାରାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସାମରିକ ପ୍ରସ୍ତୁତି ନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏୟାର ଚିଫ ମାର୍ଶଲ । ଏଲଏସିରେ ଉତେଜନା ବଢିଥିବା ବେଳେ ଉତେଜନା କମାଇବା ପାଇଁ ଉଭୟ ଭାରତ ଓ ଚୀନ ମଧ୍ୟରେ ଆଲୋଚନା କରାଯାଉଛି ।