ଚୀନ୍ ସରକାରଙ୍କୁ ବିରୋଧ କରିବା ପଡିଲା ମହଙ୍ଗା । ୨୫.୫୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲା ଅଲିବାବା କମ୍ପାନୀ ।

190

କନକ ବ୍ୟୁରୋ: ଚୀନ ସରକାରଙ୍କ ବିରୋଧରେ କିଛି ବି ଶବ୍ଦ ସେଠାକାର ଜନସାଧାରଣ କିମ୍ବା ବ୍ୟବସାୟୀଙ୍କୁ ମହଙ୍ଗା ପଡିଥାଏ । ସରକାରଙ୍କୁ ବିରୋଧ କରିବା ଅର୍ଥ ସେଠାରେ ବିପଦକୁ ଟାଣି ଆଣିବା ସହିତ ତୁଳନା କରାଯାଏ । ଯାହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଅଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ୍ ମା । ଗତବର୍ଷ ଅକ୍ଟୋବର ମାସରେ ସେ ଚୀନ ସରକାରଙ୍କ ବିରୋଧରେ କିଛି ଟିପ୍ପଣୀ ରଖିଥିଲେ । ଆଉ ତା ପରେ ତାଙ୍କର ସାମ୍ରାଜ୍ୟର ଏକ ପ୍ରକାର ପତ୍ତନ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ପ୍ରାୟ ଗୋଟିଏ ବର୍ଷ ଭିତରେ ସେ ୩୪୪ ଆରବ ଡଲାରର କ୍ଷତି ସହିଥିବା ଏବେ ରିପୋର୍ଟ ଆସିଛି । ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୨୫,୫୨,୫୬୭ କୋଟି ଟଙ୍କା ହେବ ।

ଅସଲ କଥା ହେଉଛି, ଗତବର୍ଷ ଅକ୍ଟୋବର ମାସରେ ଆଣ୍ଟି ମୋନୋପୋଲୀ ରେଗୁଲେସନକୁ ନେଇ ଚୀନ ସରକାର ସହ ଜ୍ୟାକ୍ ମା’ଙ୍କ ବିବାଦ ସୃଷ୍ଟି ହୋଇଥିଲା । ଚୀନର ଅର୍ଥନୈତିକ ବ୍ୟବସ୍ଥାକୁ ନେଇ ସେ ଆଲୋଚନା କରିଥିଲେ । ଆଉ ଏହାପରେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅଲୀବାବା ଗ୍ରୁପର ଖରାପ ସମୟ ଆରମ୍ଭ ହୋଇଯାଇଥିଲା । ଏପରିକି ଜ୍ୟାକ୍ ମାଙ୍କୁ ମଧ୍ୟ କିଛି ଦିନ ପାଇଁ ହଠାତ୍ ଦେଖିବାକୁ ମିଳିନଥିଲା ।

ଏହି ଆଲୋଚନା କାଳରେ ଜ୍ୟାକ୍ ମା ଚୀନର ଅର୍ଥନୈତିକ ବ୍ୟବସ୍ଥା ଓ ସରକାରୀ ବ୍ୟାଙ୍କକୁ ନେଇ ନିଜର ମତ ରଖିଥିଲେ । ଆଉ ଏହା ପରେ ବେଜିଂ ସ୍ଥିତ ତାଙ୍କ ଅଲିବାବା ଉପରେ ହଠାତ୍ ଯାଞ୍ଚ ଆରମ୍ଭ ହୋଇଯାଇଥିଲା । ଖାଲି ସେତିକି ନୁହେଁ, ଯାଞ୍ଚ ପରେ କମ୍ପାନୀ ଉପରେ ମୋଟ ୨.୮ ବିଲିୟନ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଥିଲା । ତା ସହିତ ଚୀନ ମିଡିଆରେ ଏହି କମ୍ପାନୀକୁ ନେଇ ଅନେକ ଖରାପ ପ୍ରଚାର ମଧ୍ୟ କରାଯାଇଥିଲା । ଯାହା ଫଳରେ ଦିନ କେଇଟା ଭିତରେ ଜ୍ୟାକ୍ ମା ଚୀନରେ ଜଣେ କ୍ରୁର, ଟଙ୍କା ଲୁଟ୍ କରୁଥିବା ବ୍ୟକ୍ତି ବନିଯାଇଥିଲେ ।

ଏହି ଗୋଟିଏ ବର୍ଷ ଭିତରେ ଟେକ୍ନୋଲୋଜି କ୍ଷେତ୍ରରେ ରାଜ୍ କରୁଥିବା ଅଲିବାବାର ମାର୍କେଟ ପୁଞ୍ଜିରେ ପ୍ରାୟ ୩୪୪ ଅରବ ଡଲାରର କ୍ଷତି ଆସିଛି । ତେବେ ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ, ଏହି କ୍ଷତିକୁ ଦୁନିଆର ସବୁଠୁ ବଡ କ୍ଷତି ବୋଲି ବି ତୁଳନା କରାଯାଇପାରିବ । ସୂଚନାଯୋଗ୍ୟ ଯେ, ହଂକଂ ସେୟାର ବଜାରରେ ଗତ ବର୍ଷ ଅକ୍ଟୋବର ମାସରେ ଅଲିବାବା ଗ୍ରୁପ ରେକର୍ଡ ଟ୍ରେଡ୍ କରିଥିଲା । ଯାହାକି ଏବେ ରେକର୍ଡ ତଳସ୍ତରକୁ ଖସି ଆସିଛି । ଏହି ଗୋଟିଏ ବର୍ଷ ଭିତରେ କମ୍ପାନୀ ୪୩ ପ୍ରତିଶତ କମ୍ ଟ୍ରେଡ୍ କରିଥିବା ରିପୋର୍ଟ ପ୍ରକାଶ ପାଇଛି ।