ଚୀନର ମାୟାଜାଲରେ ଫଶିଲାଣି ଅଧା ବିଶ୍ୱ! ଆଧିପତ୍ୟ ବିସ୍ତାର କରିବାକୁ ଛାଡିଛି ଋଣ ଅସ୍ତ୍ର, ଟାର୍ଗେଟରେ ଦୁର୍ବଳ ଦେଶ ।

687

ସୀମାରେ ଭାରତ ସହ ବିବାଦ ଭିତରେ ଚୀନ୍ ରଚୁଛି ସାଂଘାତିକ ଚାଲ । ଗୋଟିଏ ପଟେ ଭାରତ ସହ ସୀମାରେ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚୀନ୍ ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ । ସୀମାରେ ଉତ୍ତେଜନାମୂଳକ ସ୍ଥିତି ଭିତରେ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବାକୁ ଦେଶର କୋଣ ଅନୁକୋଣରୁ ଦାବି ଉଠିଛି । କାରଣ ବେଜିଂର ଆର୍ଥିକ ମେରୁଦଣ୍ଡ ଭାରତୀୟ ବଜାର ଉପରେ ଛିଡା ହୋଇଛି । ଛୁଞ୍ଚି ଠାରୁ ଆରମ୍ଭ କରି ଅତ୍ୟାଧୁନିକ କମ୍ପ୍ୟୁଟର, ଚୀନ୍ ଠାରୁ ଆମଦାନୀ କରୁଛି ଭାରତ । ଶସ୍ତାରେ ଏହି ସବୁ ସାମଗ୍ରୀ ଯୋଗାଇ ଦେଇ କେବଳ ଭାରତ ନୁହେଁ ପୂରା ବିଶ୍ୱବଜାରରେ ନିଜର ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟରେ ରହିଛି ଚୀନ୍ । ଆଉ ଏଥିପାଇଁ ସୁଚିନ୍ତିତ ଋଣନୀତି ସହ ଆଗକୁ ବଢୁଛି ବେଜିଂ ।

ବିଶ୍ୱ ବଜାରକୁ ନିଜ କବଜାକୁ ନେବାକୁ ଚୀନ୍ ପ୍ରଥମରୁ ସାଂଘାତିକ ନୀତି ଆପଣାଇଛି । କମଜୋର ତଥା ଦୁର୍ବଳ ପଡୋଶୀ ଦେଶକୁ ଋଣଜାଲରେ ବାନ୍ଧି ରଖିଥିବା ବେଳେ ଶକ୍ତିଶାଳୀ ଦେଶ ସହ ବିଭିନ୍ନ ପ୍ରସଙ୍ଗରେ ବିବାଦ ଜାରି ରଖିଛି । ଖାସ୍ ଏହି ନୀତି ସହ ଚୀନ୍ ୧୫୦ ଦେଶକୁ ୧୧୨ ଲକ୍ଷ କୋଟିରୁ ଅଧିକ ଟଙ୍କା ବିଭିନ୍ନ ପ୍ରକଳ୍ପ ଓ ଋଣ ଆକାରରେ ଦେଇଛି । ଆଉ ଏହି ପ୍ରକଳ୍ପ ଓ ଋଣର ପ୍ରତିବଦଳରେ ଏହି ଛୋଟ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଦେଶକୁ ଚୀନ୍ ନିଜ ପକ୍ଷକୁ ନେବାକୁ ଚେଷ୍ଟା ଚଳାଇଛି । ଯାହାଫଳରେ ବିଶ୍ୱସ୍ତରରେ ଆମେରିକା ଭଳି ଚୀନ୍ ମଧ୍ୟ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି ।

ଚୀନ୍ ଏବେ ସୁଦ୍ଧା ୧୫୦ ଦେଶରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ନିବେଶ କରିଛି । ଏପରିକି କିଛି ଦେଶକୁ ଋଣ ବୋଝରେ ବୁଡାଇ ରଖିଛି ଚୀନ୍ । ତେଣୁ ସେହି ସବୁ ଦେଶଗୁଡିକ ଦ୍ୱାରା ବଳିୟାନ ହେବାକୁ ଚାହୁଁଛି ବେଜିଂ । ସ୍ଥିତି ଏମିତି ହୋଇଛି ଯେ, ବିଶ୍ୱବ୍ୟାଙ୍କ ଓ ଆଇଏମଏଫ ଠାରୁ ମଧ୍ୟ ଅଧିକ ଋଣ ଦେଉଛି ଚୀନ୍ । ଏପରିକି ଅନ୍ୟ ଦେଶକୁ ନିଜ ଜାଲରେ ଫଶାଇବା ପାଇଁ ଗତ କିଛି ବର୍ଷ ହେବ ଆମେରିକା ଠାରୁ ମଧ୍ୟ ଅଧିକ ଋଣ ପ୍ରଦାନ କରୁଛି ବେଜିଂ ।ଅନ୍ୟଦେଶରେ ନିର୍ମାଣ, ଖଣି ଓ ଉର୍ଜା ପ୍ରକଳ୍ପରେ ଚୀନ୍ କୋଟି କୋଟି ଟଙ୍କା ବିନିଯୋଗ କରୁଛି । ଆଉ ଏଭଳି ପ୍ରଚୁର ଟଙ୍କା ଦେଇ ଉକ୍ତ ଦେଶ ଗୁଡିକୁ ଋଣଭାରରେ ବୁଡାଇ ରଖୁଛି । ଯେଉଁ ଋଣଜାଲରୁ ପରବର୍ତ୍ତୀ ସମୟରେ ମୁକୁଳି ପାରିବା ଦୁର୍ବଳ ଦେଶ ଗୁଡିକ ପାଇଁ କଷ୍ଟକର ହୋଇପଡୁଛି ।

ବିଶ୍ୱର ଅନ୍ୟ ଦେଶ ନୁହେଁ ବରଂ ଭାରତରେ ମଧ୍ୟ ନିଜର ନିବେଶ ବଢାଇବାରେ ଲାଗିଛି ବେଜିଂ । ୨୦୧୪ ସୁଦ୍ଧା ଭାରତରେ ଚୀନ୍ ୧.୬ ଆରବ ଡଲାରର ନିବେଶ କରିଥିବା ବେଳେ ଏହାର ପରବର୍ତ୍ତୀ ୩ ବର୍ଷ ମଧ୍ୟରେ ଏହି ନିବେଶ ରାଶି ୮ ଆରବ ଡଲାରରେ ପହଞ୍ଚିଛି । ଏପରିକି ଭବିଷ୍ୟତରେ ଭାରତରେ ନିବେଶ ପାଇଁ ଚୀନ୍ ଯେଉଁ ଘୋଷଣା କରିଛି ତାହାକୁ ଯୋଡିଲେ ଏହା ୨୬ ଆରବ ଡଲାରରେ ପହଞ୍ଚିବ । ତେଣୁ ଏଭଳି ସ୍ଥିତିରେ ଚୀନର ମାୟାଜାଲରୁ ମୁକୁଳିବା ପାଇଁ ପୂରା ଦେଶରୁ ଦାବି ଉଠିଛି । ଚୀନ୍ ସାମଗ୍ରୀକୁ ବର୍ଜନ କରି ବେଜିଂକୁ ବଡ ଝଟକା ଦେବାକୁ ସାଧାରଣ ଲୋକ ସ୍ୱର ମିଳାଇଛନ୍ତି । ତେବେ ଏଥିପାଇଁ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ବିକଳ୍ପ କିମ୍ବା ଦେଶରେ ଏହାର ଉତ୍ପାଦନ କରିବା ଆବଶ୍ୟକ ହୋଇପଡିଛି ।