ଉତ୍ତେଜନା ବଢ଼ାଇଲା ବେଜିଂ । ସାମ୍ନାକୁ ଆସିଲା ଚୀନ ଯୁଦ୍ଧାଭ୍ୟାସର ଭୟାନକ ଚିତ୍ର । ତାଇୱାନର ସମୁଦ୍ର ଉପକୂଳରେ ମାଡ କଲା ମିଜାଇଲ୍ ।

209

କନକ ବ୍ୟୁରୋ: ମୁହାଁମୁହିଁ ସ୍ଥିତିରେ ଚୀନ୍ ଓ ତାଇୱାନ । ତାଇୱାନକୁ ଜଳ, ସ୍ଥଳ ଓ ଆକାଶ ପଥରେ ଘେରିବା ପାଇଁ ପ୍ରସ୍ତୁତି ଚଳାଇଛି ବେଜିଂ । ଚୀନ୍ ସରକାରର ମୁଖପତ୍ର ବୋଲାଉଥିବା ଗ୍ଲୋବାଲ ଟାଇମ୍ସ, ପିପୁଲ୍ସ ଲିବେରେସନ ଆର୍ମି ବା ପିଏଲଏର ଯୁଦ୍ଧାଭ୍ୟାସର କିଛି ଦୃଶ୍ୟ ଜାରି କରିଛି । ତାଇୱାନ ଉପକୂଳ ସମୁଦ୍ରରେ ସାମରିକ ଦୃଷ୍ଟିରୁ ୬ଟି ସମ୍ବେଦନଶୀଳ ଜାଗାରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି ଚୀନ୍ । ତେବେ ଏସବୁ ଦୃଶ୍ୟ ଆଉ ଏକ ଯୁଦ୍ଧ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି ।

  • ତାଇୱାନ୍ ଉପକୂଳ ସମୁଦ୍ରରେ ମିଜାଇଲ ମାଡ଼
  • ସମରାଭ୍ୟାସରେ ଉତ୍ତେଜନା ବଢ଼ାଇଲା ଚୀନ୍

ତାଇୱାନ ଚାରିପଟେ ଚୀନ ଓ ଆମେରିକା ସେନାର ସମରସଜ୍ଜା ଭିତରେ ଉତ୍ତେଜନା ବଢାଇଲା ଚୀନ । ଗୁରୁବାରଠାରୁ ଚୀନ ସେନା ପିଏଲଏ ତାର ସମରାଭ୍ୟାସ ଆରମ୍ଭ କରିଥିବାବେଳେ ୧୧ଟି ବାଲିଷ୍ଟିକ ମିଜାଇଲ ମାଡ କରିଛି । ଏନେଇ ଦାବି କରିଛି ତାଇୱାନ ତାଇପେଇର ପ୍ରତିରକ୍ଷା ମନ୍ତ୍ରାଳୟ । ନଜର ପକାନ୍ତୁ କଣ କହିଛି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ…‘ଚୀନ ସେନା ପିଏଲଏର ଅତି ଦାୟିତ୍ୱହୀନ ପଦକ୍ଷେପ କ୍ଷେତ୍ରୀୟ ଶାନ୍ତିଙ୍କୁ ଭଙ୍ଗ କରିଛି । ଚୀନ କମ୍ୟୁନିଷ୍ଟ ପାର୍ଟି ଏକାଧିକ ଡଙ୍ଗଫେଙ୍ଗ ସିରିଜର ବାଲିଷ୍ଟିକ ମିଜାଇଲ ମାଡ କରିଛି । ଯାହା ତାଇୱାନ୍ର ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ସମୁଦ୍ରରେ ପଡିଛି ।’

ଚୀନ ସେନା ଉତ୍ତେଜନା ବଢାଉଥିବାବେଳେ ଦକ୍ଷିଣ ଚୀନ ସାଗରରେ ମୁହାଁମୁହିଁ ହୋଇ ରହିଛନ୍ତି ବିଶ୍ୱର ଦୁଇ ମହାଶକ୍ତି ଚୀନ ଓ ଆମେରିକା । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ ପହଞ୍ଚିବା କ୍ଷଣି, ପୂର୍ବ ଚୀନର ସାନଡଙ୍ଗ ପ୍ରୋଭିନ୍ସରୁ ବାହାରିଥିଲା ଲିଆଓନିଙ୍ଗ -୦୦୧ ଯୁଦ୍ଧ ଜାହାଜ । ସେହିପରି ଦକ୍ଷିଣ ଚୀନର ହାଇନାନ୍ ପ୍ରୋଭିନ୍ସରୁ ବାହାରି ଆସିଛି ଯୁଦ୍ଧ ଜାହାଜ ସାନଡଙ୍ଗ (ସିଭି-୧୭) । ତାଇୱାନର ପୂର୍ବପଟକୁ ୪ଟି ଯୁଦ୍ଧ ଜାହାଜ ମୁତୟନ କରିଛି ଆମେରିକା । ୟୁଏସଏସ ରୋନାଲ୍ଡ ରେଗାନ୍, ୟୁଏସଏସ୍ ତ୍ରିପୋଲି, ୟୁଏସଏସ ଆମେରିକା ଏବଂ ୟୁଏସଏସ ଏସେକ୍ସକୁ ଆକ୍ରମଣ ମୁଦ୍ରାରେ ମୁତୟନ କରିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଇୱାନକୁ ଚାରିପଟୁ ଘେରିରହିଛି ଚୀନ ସେନା । ଅଗଷ୍ଟ ୭ ଯାଏଁ ଏଠାରେ ସମରାଭ୍ୟାସ କରିବ ପିପୁଲ୍ସ ଲିବରେସନ ଆର୍ମି । ଗୁଳିଗୋଳା ବର୍ଷଣ ସହ ପୂର୍ଣ୍ଣ କ୍ଷମତାରେ ଅଭ୍ୟାସ କରିବ ଚୀନ ସେନା । ତାଇୱାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ତିକ୍ତତା ଆଉ ପାଦେ ଆଗେଇଛି । ତେଣୁ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତାଇୱାନର ଜଳସୀମାରେ ଚୀନ ସେନାର ମିଜାଇଲ ପଡିବା ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି ।

ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଚୀନ ଓ ତାଇୱାନ ଭିତରେ ଯୁଦ୍ଧ ନେଇ ଆଶଙ୍କା ବଢିଯାଇଛି । ତାଇୱାନ ଉପରେ ଚୀନ ତାର ସାର୍ବଭୌମତ୍ୱ ଜାହିର କରୁଥିବାବେଳେ ଆମେରିକା ସ୍ପିକରଙ୍କ ଗସ୍ତ ଚୀନକୁ ଚିଡାଇ ଦେଇଛି । ହେଲେ ଆମେରିକା ମଧ୍ୟ ଗଣତନ୍ତ୍ରର ସୁରକ୍ଷା କରିବ ବୋଲି କହୁଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ହେଲା ତାଇୱାନର ବାୟୁସୀମାରେ ଯୁଦ୍ଧ ବିମାନ ଉଡାଇବାଠୁ ଆରମ୍ଭ କରି, ଦକ୍ଷିଣ ଚୀନ ସାଗରରେ ଯୁଦ୍ଧପୋତ ମୁତୟନ ଏବଂ ପଦାତିକ ବାହିନୀର ସମରାଭ୍ୟାସ କରିଆସୁଛୁ ଚୀନ ସେନା ପିଏଲଏ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ ସହ ଏକପ୍ରକାର ଶକ୍ତି ପ୍ରଦର୍ଶନ କରୁଛି । ଜେ-୨୦ ଭଳି ଲଢୁଆ ବିମାନ ଏବଂ ଡିଏଫ-୧୭ ଭଳି ହାଇପରସୋନିକ ମିଜାଇଲ ମଧ୍ୟ ମୁତୟନ ହୋଇଛି । ତେଣୁ ବିଶ୍ୱ ପୁଣି ଏକ ଭୀଷଣ ଯୁଦ୍ଧ ଆଶଙ୍କାରେ ଭୟଭୀତ ହୋଇପଡିଛି । କାରଣ ଲଢେଇ ହେଲେ ଏହାର ବହୁମୂଖୀ ପ୍ରଭାବ ପଡିପାରେ ।