ଭାରତୀୟ ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା ସତ । ଗଲୱାନ ଘାଟି ନିକଟରେ ଅଧ କିଲୋମିଟର ପର୍ଯ୍ୟନ୍ତ ଭାରତ ସୀମାରେ ପଶିଆସିଛି ଚୀନ ।

833

କନକ ବ୍ୟୁରୋ : ଭାରତୀୟ ଉପଗ୍ରହର କିଛି ହାଇ ରିଜୋଲ୍ୟୁସନ ଚିତ୍ର ଏବେ ଭାରତ ସରକାରଙ୍କ ପାଇଁ ଚିନ୍ତାର କାରଣ ବନିଯାଇଛି । ଏହି ଚିତ୍ର ଦର୍ଶାଉଛି ଯେ ଚୀନ ସେନା ପ୍ରାୟ ଅଧ କିଲୋମିଟର ଭାରତୀୟ ସୀମା ଭିତରକୁ ପଶିଆସିଛି । କେବଳ ଅନୁପ୍ରବେଶ କରିନାହାଁନ୍ତି ବରଂ ସେଠାରେ ଅସ୍ଥାୟୀ ନିର୍ମାଣ ମଧ୍ୟ କରିଛନ୍ତି । ୧୯୬୦ରେ ଗଲୱାନ ଘାଟିରେ ଚୀନ୍ ଘୋଷଣା କରିଥିବା ସୀମାରେଖା ଠାରୁ ୪୨୩ ମିଟର ଭିତରକୁ ପଶିଆସିଛି ଚୀନ୍ ସେନା ।

ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ପ୍ରଦର୍ଶିତ ଚିତ୍ର ବୟାନ କରୁଛି, ଚୀନ କିପରି ଚାଲାକି କରି ଭାରତ ମାଟିକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ ଜାରି ରଖିଛି । ଜୁନ ୧୫ରେ ଗଳୱାନ ଘାଟିରେ ଚୀନ-ଭାରତ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବି ନିଜ ସେନାକୁ ପଛକୁ ହଟାଇ ନାହିଁ ବେଜିଂ । ଗୋଟିଏ ପଟେ ଲେଫ୍ଟନାଣ୍ଟ ଜେନେରାଲ ସ୍ତରରେ ଆଲୋଚନା ଜାରି ରଖିଛି, ଅନ୍ୟ ପଟେ ନିଜ ବିସ୍ତାରବାଦୀ ଆଭିମୁଖ୍ୟକୁ ସାକାର କରିବା ଲାଗି ଯୋଜନା ପରେ ଯୋଜନା କରିଚାଲିଛି ।

୧୯୬୦-୬୧ ମସିହାରେ ଗଲୱାନ ଘାଟିରେ ଚୀନ ଘୋଷଣା କରିଥିବା ସୀମାରେଖା । ଏହି ବର୍ଷ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଯେଉଁ ଆଲୋଚନା ହୋଇଥିଲା, ତାହା ମଧ୍ୟ ଲିପିବଦ୍ଧ ହୋଇ ରହିଛି । ସୀମାର ଭୌଗଳିକ ଅବସ୍ଥିତି ନେଇ ଏଥିରେ ଲେଖା ହୋଇଛି । ଗଲୱାନ ନଦୀ ଅତିକ୍ରମ କରୁଥିବା ଦୁଇଟି ପର୍ବତ ଶୃଙ୍ଗକୁ ଆଧାର କରି ନିଜେ ସୀମା ନିର୍ଦ୍ଧାରଣ କରିଥିଲା ଚୀନ । ୭୮ ଡିଗ୍ରୀ ୧୩ ମିନିଟ୍ ପୂର୍ବ ଦ୍ରାଘିମା ଓ ୩୪ ଡିଗ୍ରୀ ୪୬ ମିନିଟ୍ ଉତ୍ତର ଅକ୍ଷାଂଶକୁ ନେଇ ସୀମାରେଖା ଧରା ଯାଇଥିଲା । କିନ୍ତୁ ଏବେ ଏହି ସୀମାରେଖା ଠାରୁ ୪୨୩ ମିଟର ଭିତରକୁ ଅର୍ଥାତ ଭାରତୀୟ ଅଂଚଳରେ ଶିବିର ଗଢ଼ି ଆସ୍ଥାନ ଜମାଇଛି ଚୀନ ।