ଚୀନ୍‌କୁ ବିଶ୍ୱାସ ନାହିଁ: ସେନା ସର୍ବାଧିକ ସତର୍କ, ଏଲ୍‌ଏସିରେ ଭାରତୀୟ ଯୁଦ୍ଧ ବିମାନର ଗର୍ଜନ

293

କନକ ବ୍ୟୁରୋ : ପୂର୍ବ ଲଦାଖ୍‌ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଚୀନ୍‌ ସେନା ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ଦିନ ମଧ୍ୟରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ଆକଳନ କରାଯାଇଛି। ଫଳରେ ଦୀର୍ଘ ଦୁଇ ମାସ ଧରି ଲାଗି ରହିଥିବା ତୀବ୍ରଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିବ । ଭାରତର ସୁଚିନ୍ତିତ ରଣନୀତିକ ଏବଂ କୂଟନୀତିକ ପ୍ରୟାସରେ ଚୀନ୍‌ ପଛକୁ ହଟିବା ପାଇଁ ବାଧ୍ୟ ହୋଇଛି। ଏହା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ କମାଣ୍ଡରସ୍ତରୀୟ ବୈଠକରେ ଚୀନ୍‌ ପଛକୁ ହଟିବ ବୋଲି କହିଥିଲେ ମଧ୍ୟ ବାସ୍ତବରେ ଏହାର ଓଲଟା କାମ କରୁଥିଲା ଏବଂ ସୈନ୍ୟ ମୁତୟନ ‌ବଢ଼ାଇ ଚାଲିଥିଲା।

ଚୀନ୍‌ର ପ୍ରତ୍ୟେକଟି କାର୍ଯ୍ୟ ଅତ୍ୟନ୍ତ ସନ୍ଦେହଜନକ ଏବଂ ଅବିଶ୍ୱାସଭରା ଥିବାରୁ ଏବେ ଭାରତୀୟ ସେନା ସତର୍କ ରହିଛି ଏବଂ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ଏଲ୍‌ଏସିରେ ଚୀନ୍‌ ସେନାର ଗତିବିଧି ଉପରେ କଡ଼ା ନଜର ରଖାଯିବ। ଚୀନ୍‌ର ସମସ୍ତ ସେନା ପ୍ରତ୍ୟାହାର ସହ ଏପ୍ରିଲ୍‌ରେ ଯେଉଁ ପାଟ୍ରୋଲିଂ ସ୍ଥିତି ଥିଲା ସେହି ସ୍ଥିତିକୁ ଫେରିବା ପର୍ଯ୍ୟନ୍ତ ଭାରତୀୟ ସେନା ହାଇଆଲର୍ଟରେ ରହିବ ବୋଲି ଜଣାପଡ଼ିଛି।

ଏଲ୍‌ଏସିରେ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ତୁହାକୁ ତୁହା ଉଡ଼ାଣ କରିଥିବା ବେଳେ ଗୁଇନ୍ଦା ଡ୍ରୋନ୍‌ ଦ୍ୱାରା ଚୀନ୍‌ ସେନାର ଫେରନ୍ତା ପ୍ରକ୍ରିୟା ଉପରେ ନଜର ରଖାଯାଇଥିଲା। ଚୀନ୍‌ ଏହା ପୂର୍ବରୁ ଭାରତକୁ ବିଭିନ୍ନ ସମୟରେ ସୀମା ବିବାଦ ନେଇ ଧୋକା ଦେଇଆସିଛି। ଏହା ପୂର୍ବରୁ ଡୋକ୍‌ଲାମରେ ମଧ୍ୟ ଦୀର୍ଘ ୭୨ ଦିନ ଧରି ଚୀନ୍‌ ସେନା ଡେରା ପକାଇଥିଲା। ଏଭଳି ଅନେକ ନଜିର ପୂର୍ବରୁ ରହିଛି ଏବଂ ୧୯୬୨ ଯୁଦ୍ଧ ପୂର୍ବରୁ ମଧ୍ୟ ଚୀନ୍‌ ସେନା ପଛକୁ ହଟିବାର ନାଟକ କରି ପୁଣି ଫେରିଥିଲା। ଏ ବାବଦରେ ସେହି ସସମୟରେ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ‌୍ ଏବେ ଭାଇରାଲ ହେବାରେ ଲାଗିଛି। ୧୯୬୨ ମସିହା ଜୁଲାଇ ୧୫ ତାରିଖରେ ସମସ୍ତ ଖବରକାଗଜ ଗଲୱାନରୁ ଚୀନ୍‌ ସେନା ପଛକୁ ହଟିବା ଖବର ପ୍ରମୁଖତାର ସହ ଛାପିଥିଲେ। ଏହାର କିଛି ମାସ ପରେ ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ତେଣୁ ଚୀନ୍‌ର ଅତୀତ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତୀୟ ସେନା ତା’ର ରଣନୀତି ବଦଳାଇଛି ଏବଂ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଭାରତୀୟ ସେନା ନିଜ ପୋଷ୍ଟ୍‌କୁ ଫେରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।