ଗଲୱାନ ଘାଟିରେ ଉତ୍ତେଜନା ଜାରି । ଭାରତ-ଚୀନ୍ ମଧ୍ୟରେ ହୋଇଥିବା ସମସ୍ତ ଚୁକ୍ତିକୁ ଅଣଦେଖା କରୁଛି ଚୀନ୍ । ରାଜିନାମାକୁ ଚୀନ୍ ମାନୁନଥିବା କହିଲା ଭାରତୀୟ ବିଦେଶ ମନ୍ତ୍ରାଳୟ ।

1,393

କନକ ବ୍ୟୁରୋ : ଗଲୱାନ ଘାଟି ବିବାଦକୁ ନେଇ ଲଗାତର ଆଲୋଚନା ପରେ ବି ବାହାରି ପାରିନି ସମାଧାନ । ଗଲୱାନ ଘାଟିକୁ ନେଇ ଯେଉଁ ସବୁ ବୁଝାମଣା ହୋଇଥିଲା, ଏସବୁକୁ ମାନିବାକୁ ନାରାଜ ଚୀନ୍ । ସୀମାକୁ ନେଇ ସମସ୍ତ ଚୁକ୍ତିକୁ ଚୀନ୍ ଅଣଦେଖା କରୁଛି । ଭାରତ ଚୀନ୍ ମଧ୍ୟରେ ବର୍ତମାନ ରହିଥିବା ରାଜିନାମାକୁ ଚୀନ୍ ପାଳନ କରୁନଥିବା ନେଇ ସୂଚନା ଦେଇଛି ଭାରତୀୟ ବିଦେଶ ମନ୍ତ୍ରାଳୟ ।

ଗତ ଜୁନ୍ ୧୫ ତାରିଖ ରାତିରେ ଗଲୱାନ ଘାଟି ବିବାଦ ପାଇଁ ଚୀନକୁ ଦାୟୀ କରିଛି ଭାରତ । ଚୀନ୍ ସେନା ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ଅତିକ୍ରମ କରି ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ ଭାରତର ବୈଦେଶିକ ମନ୍ତ୍ରାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଗତ ମେ ମାସରୁ ଗଲୱାନ ଘାଟି ନିକଟରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଥିଲା ଚୀନ୍ । ସାଟେଲାଇଟ୍ ଚିତ୍ରରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ଏଥିରେ ଦେଖିବାକୁ ମିଳିଥିଲା ଚୀନ୍ ଗଲୱାନ ଘାଟିରେ ନିର୍ମାଣ କାମ ଜାରି ରଖିଛି ।

ଅନ୍ୟପଟେ ଚୀନର ନୂଆ ଦାବିକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ସୀମାରେ ଏକତରଫା ଭାବେ କୌଣସି ପରିବର୍ତନ ହେବାକୁ ଦେବନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ସେପଟେ ବୁଧବାର ଚୀନ୍ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଗତ ଜୁନ୍ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଚୀନର ଯବାନ ମୃତାହତ ହୋଇଛନ୍ତି । ତେବେ ଏହା ଅଧିକ ସଂଖ୍ୟାରେ ନୁହଁ ବୋଲି ଚୀନ୍ ପକ୍ଷରୁ ଦର୍ଶାଯାଇଛି ।