କନକ ବ୍ୟୁରୋ : ଚୀନ ବାୟୁସେନା ଘାଟିରେ ପଇଁତରା ମାରୁଛି ଯୁଦ୍ଧ ବିମାନ । ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ବଢୁଥିବା ନେଇ ଜଣାପଡ଼ିଛି । ଡିସେମ୍ବରର ୯ ତାରିଖରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଚୀନର ଅନୁପ୍ରବେଶ ଉଦ୍ୟମକୁ ରୋକିବାକୁ ଭାରତୀୟ ଯବାନ ମାନେ ମୁହଁତୋଡ ଜବାବ ଦେଇଥିଲେ । ଫଳରେ ପଛଘୁଞ୍ଚା ଦେଇଥିଲେ ଡ୍ରାଗନ ବାହିନୀ ।

Advertisment

ତେବେ ଏହାର କିଛିଦିନ ପରେ ପୁଣିଥରେ ଚୀନ୍ ବାୟୁସେନା ଘାଟିରେ ଗତିବିଧି ବଢ଼ିବାକୁ ଲାଗିଛି । ଏଠାରେ ଅଧିକରୁ ଅଧିକ ଯୁଦ୍ଧ ବିମାନ ଓ ଡ୍ରୋନ ଆଦି ମୁତୟନ କରାଯାଉଛି । ପୂର୍ବରୁ ଏହି ସ୍ଥାନରେ କାଁ ଭାଁ ଜେଟ୍ ଦେଖିବାକୁ ମିଳୁଥିଲା । କିନ୍ତୁ ତୱାଙ୍ଗ ବିବାଦ ପରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ସଂଖ୍ୟା ବଢ଼ିଥିବା ନେଇ ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚୀନ ଏହାର ବାଙ୍ଗଦା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ ଡ୍ରୋନ ମୁତୟନ କରିଛି । ବାଙ୍ଗଦା ବିମାନ ଘାଟି ଅରୁଣାଚଳ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି । ଚୀନର ଏଭଳି କାର୍ଯ୍ୟଦେଖି ଭାରତୀୟ ବାୟୁସେନା ଲଗାତର ଦୁଇଦିନ ଧରି ଯୁଦ୍ଧାଭ୍ୟାସ କରୁଥିବାର ଜଣାପଡ଼ିଛି । ଏହା ପୂର୍ବରୁ ଡିସେମ୍ବର ୧୧ ତାରିଖରେ ଆମେରିକା ପ୍ରତିରକ୍ଷା ୱେବସାଇଟ୍ ୱାର ଜୋନ ପକ୍ଷରୁ କିଛି ଉପଗ୍ରହ ଫଟୋ ଜାରି କରାଯାଇଥିଲା । ଏଥିରେ ତିବ୍ଦତର ସିଗାତ୍ସେପିସ୍ ବିମାନବନ୍ଦରରେ ୧୦ଟି ଯୁଦ୍ଧ ବିମାନ ଏବଂ ୭ଟି ଡ୍ରୋନ୍ ଦେଖିବାକୁ ମିଳିଥିଲା । ତିବ୍ଦତରେ ନ୍ୟାଙ୍ଗଚି, ଶିଗତ୍ସ ଏବଂ ନାଗରିରେ ଚୀନର ୫ଟି ବିମାନ ଘାଟି ରହିଛି । ଏହା ଭାରତ-ନେପାଳ ସୀମା ଠାରୁ ଅଳ୍ପ ଦୂରରେ ଅବସ୍ଥିତ ।

ଚୀନ ଗତବର୍ଷ ଲାସାରୁ ନ୍ୟାଙ୍ଗଚି ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ଆରମ୍ଭ କରିଥିଲା । ଏହା ଅରୁଣାଚଳ ସୀମା ଠରୁ କମ୍ ଦୂରରେ ଅବସ୍ଥିତ । ଉପଗ୍ରହ ଫଟୋରେ ସୋରିଙ୍ଗ ଡ୍ରୋନ୍ ବ୍ୟତୀତ ଅସ୍ଥାୟୀ ଏୟାରକ୍ରାଫ୍ଟ ସେଲଟର ବି ସାମ୍ନାକୁ ଆସିଛି । ସୋରିଙ୍ଗ ଡ୍ରାଗନ ଡ୍ରୋନ ୨୦୨୧ର ଅଣାଯାଇଥିଲା । ପଡ଼ୋଶାୀ କିମ୍ବା ଅନ୍ୟ ଦେଶର ସେନା ଗତିବିଧି ଉପରେ ନଜର ରଖିବା ପାଇଁ ଏହା ଆସିଥିଲା ।