ମୁମ୍ବାଇ ବିଦ୍ୟୁତ ବିଭ୍ରାଟ ପଛରେ ଚୀନ୍ ହ୍ୟାକର । ଚୀନର ସାଇବର ଆଟାକ ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଲା ରିପୋର୍ଟ ।

295

କନକ ବ୍ୟୁରୋ: ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚୀନ୍ ସାଇବର ଆଟାକ ମଧ୍ୟ ଜାରି ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମୁ୍ମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଏପରିକି ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ବେପାର ବାଣିଜ ସବୁ କିଛି ଠପ୍ ହୋଇଯାଇଥିଲା । ତେବେ ଏହା ପଛରେ ଚୀନ୍ର ସାଇବର ଆଟାକର ସମ୍ପୃକ୍ତି ଥିବା ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନର ହ୍ୟାକର ଗୋଷ୍ଠୀ ‘ରେଡ୍ ଇକୋ’ ଭାରତର ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରିଛି । ଏହି ଗ୍ରୁପ ହିଁ ଭାରତୀୟ ପାୱାର ପ୍ଲାଂଟରେ ମାଲୱେର ବା କମ୍ପ୍ୟୁଟର ଭାଇରସ ଛାଡି ଏହାକୁ ଅଚଳ କରିଦେଇଥିଲେ । ଅପରପକ୍ଷରେ ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନୀତିନ ରାଉତ ଏହି ଅଭିଯୋଗରେ ସତ୍ୟତା ଥିବା ସହ ଏଥିପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିବା କହିଛନ୍ତି ।

ସୀମାରେ ଗଲୱାନ ସଂଘର୍ଷ ପରେ ଭାରତକୁ ଟାର୍ଗେଟ କରିଥିଲେ ଚୀନ ହ୍ୟାକର । ଏବଂ ବିଜୁଳି ବିତରଣ କେନ୍ଦ୍ର ବା ଗ୍ରୀଡକୁ ଟାର୍ଗେଟ କରି ମାଲୱେର ଛାଡିଦେଇଥିଲେ । ଏଥିଯୋଗୁଁ ପ୍ରାୟ ୪ ଘଂଟା ଧରି ମୁମ୍ବାଇରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା । ଚାଇନିଜ ମାଲୱେର ପ୍ରବାହକୁ ଆମେରିକାର କମ୍ପାନୀ ରେକର୍ଡର ଫ୍ୟୁଚର ଠାବ କରିଥିଲା । ଏହି କମ୍ପାନୀ ଡିଜିଟାଲ ବିପଦର ଅଧ୍ୟୟନ କରିଥାଏ । କମ୍ପାନୀ କହିଛି ଯେ, ଭାରତୀୟ ପାୱାର ଗ୍ରୀଡରେ ମାଲୱେର ପ୍ରବେଶ କରିଥିଲେ ହିଁ ଅଧିକାଂଶ ସକ୍ରିୟ ହୋଇନଥିଲା । ଏହି କାରଣରୁ ବିଶେଷ କିଛି କ୍ଷତି ହୋଇନଥିଲେ ବି ମୁମ୍ବାଇର ଏକ ଛୋଟିଆ ଅଂଶରେ ବିଜୁଳି ବିଭ୍ରାଟ ଦେଖାଦେଇଥିଲା ।

ଭାରତରେ କରୋନା ମହାମାରୀ ସଙ୍କଟ ଚାଲିଥିବା ବେଳେ ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ବଡ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା । ଅକ୍ଟୋବର ୧୨ ତାରିଖରେ ଦିନ ୧୦ଟାରୁ ଦୀର୍ଘ ୪ଘଂଟା ଧରି ବିଜୁଳ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା । ଏହି କାରଣରୁ ଟ୍ରେନ ଗୁଡିକ ମଧ୍ୟ ଅଟକି ରହିଥିଲା ଓ ହସ୍ପିଟାଲ ଗୁଡିକ ଜେନେରେଟର ସାହାଯ୍ୟରେ ଭେଂଟିଲେର ଚଳାଇ ରୋଗୀଙ୍କ ଚିକିତ୍ସା କରିଥିଲେ ।