ପୁଣି ଚୀନରେ କରୋନାର ବିସ୍ଫୋଟକ ରୂପ । ଗୋଟିଏ ସପ୍ତାହ ମଧ୍ୟରେ ୩ଟି ସହରରେ ଲକଡାଉନ, ଘରେ ବନ୍ଦ ରହିଛନ୍ତି ଲକ୍ଷ ଲକ୍ଷ ଲୋକ

133

କନକ ବ୍ୟୁରୋ : ଚୀନରେ ପୁଣିଥରେ କରୋନାର ବିସ୍ଫୋଟକ ରୂପ ଦେଖିବାକୁ ମିଳିଛି । ଏନେଇ ଚୀନ ସରକାର ଏବେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ଏନେଇ ଚୀ-ଋଷ ସୀମାର ଉତ୍ତର-ପୂର୍ବାଞ୍ଚଳ ହେଇଲଙ୍ଗଜିଆଙ୍ଗର ହେଇଏ ସହରରେ ସରକାର ପୁଣି ଲକଡାଉନ ଲଗାଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ଲକଡାଉନ ଲାଗିଥିବା ଏହା ହେଉଛି ଚୀନର ତୃତୀୟ ସହର । ସେପଟେ ଫେବୃଆରୀମାସରେ ଚୀନରେ ୱିଣ୍ଟର ଅଲିମ୍ପିକ୍ସ ଚମ୍ପିଅନସିପ୍ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଚୀନ ସରକାର ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ସରକାର ଦୃଢ ପଦକ୍ଷେପ ନେବାଭଳି ଅନୁମାନ କରାଯାଉଛି । ଏହାକୁ ନେଇ ସରକାର ଦେଶର ଜନଗହଳୀପୂର୍ଣ୍ଣ ସହର ମାନଙ୍କରେ ଲକଡାଉନ ଲଗାଇବାକୁ ଚିନ୍ତା କରୁଛନ୍ତି ।

ଗୁରୁବାର ଦିନ ଜଣେମାତ୍ର ସଂକ୍ରମିତ ଚହ୍ନଟ ହେବା ପରେ ହେଇଏ ସିଟି ଅଧିକାରୀ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଜରୁରୀ କାମ ବ୍ୟତୀତ ବାହାରକୁ ନବାହାରିବାକୁ ଅଧିକାରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଜଣେ ଅଧିକାରୀ କହିଛନ୍ତି କି ସୀମା ନିକଟ ଅଞ୍ଚଳରେ ରହିଥିବା ୧୬ ଲକ୍ଷ ଲୋକଙ୍କ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ।

ସେପଟେ ଲାନଝାଓ ସହର ଏବେ ସମ୍ପୂର୍ଣ୍ଣ ଏବେ ବନ୍ଦ କରିଦିଆଯାଇଛି । ସେଠାରେ ମାତ୍ର ଜଣେ ଲୋକ ସଂକ୍ରମିତ ହୋଇଛନ୍ତି । ସେହିଭଳି ଏଜିନ ସହରର ମୋଟ ୩୫ ହଜାର ଲୋକସଂଖ୍ୟା ହୋଇଥିବା ବେଳେ ସେଠାରେ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଟି ସହରରେ ସରକାର ଲକଡାଉନ ଘୋଷଣା କରି ଲକ୍ଷ ଲକ୍ଷ ଲୋକଙ୍କୁ ବନ୍ଦି କରାଯାଇଛି ।