ଜହ୍ନକୁ କବଜା କରିପାରେ ଚୀନ । ସାମରିକ ମହାକାଶ ଅଭିଯାନ ଜରିଆରେ ଅକ୍ତିଆର କରିବା ଅଶଙ୍କା

359

କନକ ବ୍ୟୁରୋ : ଜହ୍ନ କାହାର ? ଜହ୍ନକୁ କବଜା କରିବ କି ଚୀନ୍ ? ଆମେରିକୀୟ ଗବେଷଣା ସଂସ୍ଥା ନାସାର ମୁଖ୍ୟ ବିଲ୍ ନେଲସନଙ୍କ ବୟାନ କିଛି ଏଭଳି ପ୍ରଶ୍ନ ଏବେ ସାମ୍ନାକୁ ଆଣିଛି । ନେଲସନ୍ ଦାବି କରିଛନ୍ତି ଯେ, ଚନ୍ଦ୍ର ଉପରେ କବଜା କରିବାକୁ ଚାହୁଁଛି ଚୀନ୍ । ସାମରିକ ମହାକାଶ ଅଭିଯାନ ଜରିଆରେ ଚୀନ୍ ଏଭଳି ଚକ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ନାସାର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଚୀନ୍ । ଚୀନ୍ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଏପରି ଅଭିଯୋଗକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିବା ସହ ମହାକାଶରେ ସବୁ ଦେଶ ମିଳିମିଳି କାମ କରିବାକୁ ଚୀନ୍ ଆହ୍ୱାନ ଦେଇଆସୁଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚୀନର ଅନ୍ତରୀକ୍ଷ ଅଭିଯାନ ଉପରେ ସବୁବେଳେ ଭୁଲ୍ ଟିପ୍ପଣୀ କରିଥାଏ ଆମେରିକା । ତେବେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଚୀନ୍ ଗୋଟିଏ ପରେ ଗୋଟିଏ ସଫଳତା ପାଇଚାଲିଛି । ଏପରିକି କୃତ୍ରିମ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟ ନିର୍ମାଣ କରିଛି ଚୀନ୍ । ଆଉ ଏହାରି ଭିତରେ ଚୀନର ଆଭିମୁଖ୍ୟକୁ ନେଇ ନାସା ମୁଖ୍ୟଙ୍କ ବୟାନ ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି ।