କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ସେନାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି ଚୀନ ଏଭଳି କିଛି କାମ କରୁଛି ଫଳରେ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି । ଏବେ ପୁଣିଥରେ ଚୀନ ତରଫରୁ ପୂର୍ବ ଲଦାଖରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଥିବା ଭାରତ ସୀମାରେ ସୈନ୍ୟବଳ ବୃଦ୍ଧି କରିଛି । ଏହାକୁ ନଜରରେ ରଖି ସେନା ମୁଖ୍ୟ ମନୋଜ ପାଣ୍ଡେ ୨୭ ତାରିଖରେ ଲେହରେ ଥିବା ୧୪ କୋର ମୁଖ୍ୟାଳୟ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

Advertisment

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚୀନ ସୀମା ନିକଟରେ ନିଜର ସୈନ୍ୟବଳ ବୃଦ୍ଧି କରୁଛି । ଭାରତୀୟ ସେନା ମୁଖ୍ୟ ଚୀନର ଏଭଳି ପ୍ରୟାସକୁ ନଜରରେ ରଖି ସୀମାର ଅନ୍ୟ ସ୍ଥାନଗୁଡିକୁ ଗସ୍ତ କରିପାରନ୍ତି । କିଛିଦିନ ତଳେ ସେନାମୁଖ୍ୟ ପାକିସ୍ତାନ ସରମା ନିକଟ ସିୟାଚୀନର ଗ୍ଲାସିୟର ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ ।

ସେପଟେ ଚୀନ ପ୍ରସଙ୍ଗରେ କଂଗ୍ରେସ ତରଫରୁ ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରାଯାଉଛି । ଜି-୨୦ ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଅଭିବାଦନ ଜଣାଇବାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଥିଲା ଯେ କ’ଣ ଚୀନ ଓ ଭାରତ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇଗଲା କି ?