କନକ ବ୍ୟୁରୋ : ବାରମ୍ବାର ଭାରତର ତାଗିଦ ସତ୍ୱେ ସୁଧୁରୁନି ଚୀନ । କେବେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛି ତ ପୁଣି କେବେ ଅରୁଣାଚଳର କିଛି ଅଂଚଳକୁ ନିଜର ଦାବି କରି ଜୋରଜବରଦସ୍ତି ନାଁ ବଦଳାଉଛି । ଏବେ ଚୀନର ଆଉ ଏକ ଚାଲ ଉପରୁ ଉଠିଛି ପର୍ଦ୍ଦା । କାରଣ ଡୋକଲାମ୍ ନିକଟରେ ପ୍ରାୟ ୧ ହଜାର ଘର ନିର୍ମାଣ କରିଛି ଚୀନ୍ । ଏଥିସହ ନିଜ ସେନା ପାଇଁ ଅତ୍ୟାଧୁନିକ ବଙ୍କର ମଧ୍ୟ ନିର୍ମାଣ କରୁଛି ଡ୍ରାଗନ । ସୂଚନା ଅନୁସାରେ ଭୂଟାନର ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ନିଜ ସୈନିକଙ୍କ ପାଇଁ ଏହି ଘର ନିର୍ମାଣ କରୁଛି । ଯେଉଁଠାରେ ଚୀନ ଘଣ ନିର୍ମାଣ କରୁଛି ଏହା ଭାରତ-ଚୀନ-ଭୁଟାନ ଟ୍ରାଇ ଜଙ୍କସନଠୁ କିଛି କିଲୋମିଟର ଦୂରରେ ରହିଛି ।

Advertisment

ଡୋକଲାମରେ ଘର କରୁଛି ଡ୍ରାଗନ୍
• ଚୀନ ଡୋକଲାମ ନିକଟରେ ସେନା ପାଇଁ ସ୍ଥାୟୀ ବାସଭବନ ନିର୍ମାଣ କରିଛି ।
• କିଛି ଅସ୍ଥାୟୀ ଘର ଓ ବଙ୍କର ମଧ୍ୟ ତିଆରି ହୋଇଛି
• ଯୋଗାଯୋଗ ପାଇଁ ଟାୱାର ମଧ୍ୟ ପ୍ରତିଷ୍ଠା କରାଯାଇଛି ।
• ଚୀନର ଏପରି ଘର ତିଆରି ପଛରେ କିଛି ବଡ଼ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି

ସୀମା ବିବାଦ ଭିତରେ ନିକଟରେ ଅରୁଣାଚଳପ୍ରଦେଶ ଗସ୍ତ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା ।ଏଠାରେ ପହଁଚି ସେନାଧିକାରୀଙ୍କୁ ଭେଟିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ଭାରତ-ଚୀନ ସୀମାରେ ପହଁଚି ସ୍ଥିତି ପରଖିଲେ ଗୃହମନ୍ତ୍ରୀ । ଚୀନକୁ ଚେତାବନୀ ଦେଇ ଶାହା କହିଥିଲେ, ଛୁଞ୍ଚି ମୁନ ଯେତିକି ଜାଗା ବି କେହି ନେଇପାରିବେନି । ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ସେପଟେ ଅମିତ ଶାହାଙ୍କ ଗସ୍ତକୁ ବେଜିଂ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି । ଏଭଳି ସ୍ଥିତିରେ ଚୀନର ଏହି ପଦକ୍ଷେପ ଉପରେ ଭାରତର ଆଗାମୀ ଆଭିମୁଖ୍ୟ କଣ ରହିବ ଏହା ଉପରେ ନଜର ରହିଛି ।