ଭାରତର ଶକ୍ତିକୁ ଭୁଲ ଆକଳନ କରିଥିଲା ଚୀନ: ଭାରତର କଡା ଜବାବ ପରେ ବେଜିଂ ବିରୋଧରେ ସହଯୋଗୀ ରାଷ୍ଟ୍ରଙ୍କ ମେଳି; ଅର୍ଥନୀତି ଓ କୁଟନୀତିରେ ମାତ୍ ଖାଇଲା ଡ୍ରାଗନ

ଜିନିପିଙ୍ଗଙ୍କ ନୀତିକୁ ନେଇ ଦେଶ ଭିତରେ ଉଠିଲା ପ୍ରଶ୍ନ

1,118

କନକ ବ୍ୟୁରୋ: ଭାରତ ସହ ସୀମା ବିବାଦ ପରେ ଚୀନକୁ ଲାଗିଛି ଶକ୍ତ ଝଟକା । ଭାରତର ମୁହଁତୋଡ ଜବାବକୁ ସାରା ବିଶ୍ୱ ସମର୍ଥନ କରୁଥିବା ବେଳେ ଡ୍ରାଗନର ସମସ୍ୟା ବଢିଯାଇଛି । ଖରାପ ଅର୍ଥନୀତି ସହ ଏବେ ରାଜନୈତିକ ଓ କୁଟନୈତିକ ବିଫଳତାକୁ ସାମ୍ନା କରୁଛି ଚୀନ । ବିଶେଷଜ୍ଞ କହୁଛନ୍ତି କେବଳ ଚୀନ ନୁହେଁ ଏବେ ରାଷ୍ଟ୍ରପତି ଜିନିପିଙ୍ଗଙ୍କୁ ମଧ୍ୟ ଶକ୍ତ ଝଟକା ଲାଗିଛି । ଭାରତ ଚୀନ ଆପ ବ୍ୟାନ କରିବା ପରେ ଚାଇନା କମ୍ପାନୀଗୁଡିକ ଭାରତୀୟ ବଜାରରୁ ବିଦାୟ ନେବା ଆଶଙ୍କାରେ ଦିନ ଗଣୁଛନ୍ତି । ତେଣୁ ବେଜିଂ ସରକାର ଉପରେ କୁଟନୈତିକ ଚାପ ସହ ସ୍ୱାଭାବିକ ଭାବେ ବ୍ୟବସାୟିକ ଚାପ ମଧ୍ୟ ପଡୁଛି । ଆମେରିକା ସହ ଟ୍ରେଡ ୱାର ପରେ ଚୀନର ଅର୍ଥନୀତି ଦୁର୍ବଳ ହୋଇପଡିଛି । ଆଉ ଦୁର୍ବଳ ଅର୍ଥନୀତି ଉପରୁ ଜନତାଙ୍କ ଦୃଷ୍ଟି ହଟାଇବା ପାଇଁ ଜିନିପିଙ୍ଗ ସୈନ୍ୟ ଶକ୍ତି ଜରିଆରେ ପଡୋଶୀ ରାଷ୍ଟ୍ରଙ୍କୁ ଧମକେଇବା ନୀତି ଆପଣେଇଥିଲେ । ହେଲେ ଭାରତର କଡା ଜବାବ ପରେ ଡ୍ରାଗନର ଏହି ଚାଲ ଫସର ଫାଟି ଯାଇଛି ।

ଯାହାକୁ ନେଇ ଏବେ ଜିନପିଙ୍ଗଙ୍କ ଛବି ଓ ତାଙ୍କ ନୀତି ଉପରେ ଦେଶ ଭିତରେ ପ୍ରଶ୍ନ ଉଠିବାରେ ଲାଗିଛି । ଭାରତର ଶକ୍ତିକୁ ଭୁଲ ଆକଳନ କରି ଚୀନ ଭାରତ ସୀମାରେ ଯେଉଁ ଅତିକ୍ରମଣ ଉଦ୍ୟମ କରିଥିଲା ତାହା ବୁମେଂରା ସାବ୍ୟସ୍ତ ହୋଇଛି । ଏହା ଯେ କେବଳ ଭାରତ ସହ ତିକ୍ତତା ବଢାଇଛି ତା ନୁହେଁ, ଚୀନ ବିରୋଧରେ ବିଶ୍ୱସ୍ତରରେ ଏକ ବିଶାଳ ମହାମେଂଟ ପାଇଁ ମଧ୍ୟ ବାଟ କଢାଇଛି । ଗୋଟିଏ ପଟେ ଦୁର୍ବଳ ଅର୍ଥନୀତି, ଅନ୍ୟପଟେ ବିଶ୍ୱକୁ କରୋନା ଦେଇଥିବା ଅଭିଯୋଗରେ ଚୀନ ଏବେ ସହଯୋଗୀ ରାଷ୍ଟ୍ରର ବିରୋଧକୁ ସାମ୍ନା କରିବା ପାଇଁ ପଡୁଛି । ଏହାଛଡା ଦକ୍ଷିଣ ଚୀନ ସାଗରରେ ଚୀନର ଦାଦାଗିରିକୁ ନେଇ ଜାପାନ ଚେତାବନୀ ଦେଇଥିବା ବେଳେ ଏବେ ଆମେରିକା ନୌସେନା ମୁତୟନ ହୋଇଛନ୍ତି । ସେହିପରି ହଙ୍ଗକଙ୍ଗରେ ଲଗାଇଥିବା କଟକଣା ପାଇଁ ଜିନିପିଙ୍ଗଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ବିଶେଷଜ୍ଞ କହୁଛନ୍ତି ରାଷ୍ଟ୍ରବାଦ କିଛି ସମୟ ପାଇଁ ଜିନିପିିଙ୍ଗ ଭାବମୂର୍ତିକୁ ବଂଚାଇ ଦେଇପାରେ, ହେଲେ ଦୀର୍ଘକାଳୀନ ଭାବେ ଏହା ଫଳପ୍ରଦ ହେବ ନାହିଁ । ଏବେ ଜିନପିଙ୍ଗଙ୍କୁ ଦେଶରେ ଜନତାଙ୍କ ଆଖିରେ ଦଳର ଦବଦବା ଓ ନିଜ ଭାବମୂର୍ତିକୁ ବଂଚାଇ ରଖିବା ବଡ ଚାଲେଂଜ ହୋଇପଡିଛି ।

ଭାରତ ସହ ଚୀନ ଖେଳୁଛି ଦୋହରା ଚାଲ । ଏଲଏସିରେ ଉତେଜନା ଚାଲିଥିବା ବେଳେ ପାକିସ୍ତାନକୁ ଉସକାଇ ଏଲଓସିରେ ଉତେଜନା ବଢାଇବାକୁ ଉଦ୍ୟମ କରୁଛି ବେଜିଂ । ଦୁଇପଟୁ ଭାରତକୁ ଘେରାଉ କରି ଭାରତୀୟ ସେନାର ମନୋବଳ ଦୁର୍ବଳ କରିବାକୁ ମନସ୍ତାତ୍ୱିକ ଖେଳ ଖେଳୁଛି ଡ୍ରାଗନ୍ । ତେବା ଭାରତୀୟ ଯବାନଙ୍କ ମୁହଁତୋଡ ଜବାବ ଚୀନକୁ ବିଚଳିତ କରିଛି । ତେଣୁ ନେପାଳ ଓ ପାକିସ୍ତାନ ସହାୟତାରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । କାଲି ଲଦାଖ ସୀମାରେ ଯୁଦ୍ଧବିମାନ ଉଡାଇ ଚୀନର ସାମରିକ ରଣନୀତି ଉପରେ ତୀକ୍ଷଣ ନଜର ରଖିଛି ଭାରତ ବାୟୁସେନା । ଡ୍ରାଗନ ସବୁପ୍ରକାର ଚାଲ ଉପରେ ଦୃଷ୍ଟି ରଖିଛନ୍ତି ଭାରତୀୟ ଯବାନ । ଗୋଟିଏ ବି ଦୁଃସାହାସିକ ପାଦ ଆଗକୁ ବଢାଇଲେ ତାର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି ଭାରତୀୟ ଯବାନ ।

ସେପଟେ ଲଦାଖ ସୀମାରେ ଉତେଜନାକୁ ଆଖିରେ ରଖି ଏଲଓସି ଦେଇ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଲଗାତାର ସୀମାରେ ଗୁଳି ଗୋଳା ବର୍ଷଣ କରୁଛି ପାକିସ୍ତାନ । ପାକିସ୍ତାନ ଚଳିତ ବର୍ଷ ୭୭୮ କିଲୋମିଚର ଲମ୍ବ ଏଲଓସିରେ ପାକିସ୍ତାନ ୨୨୫୦ଥର ଅସ୍ତ୍ରବିରିତ ଉଲ୍ଲଂଘନ କରିଛି । ଗତକାଲି ମେଣ୍ଢର, ନୌସେରା ଓ ପୁନଛ ସେକ୍ଟରରେ ପ୍ରବଳ ଗୁଳିଗୋଳା ବିନମୟ ହୋଇଛି । ଏଥିରେ ୨ ପାକିସ୍ତାନୀ ସେନା ନିହତ ହୋଇଥିବା ଅନୁମାନ କରାଯାଉଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପିଓକେରେ ୨୫୦ ରୁ ୩୦୦ ସଶସ୍ତ୍ର ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ସୁଯୋଗ ଅପେକ୍ଷାରେ ରହିଛନ୍ତି । ତେବେ ଭାରତର ସୁରକ୍ଷାକର୍ମୀ ଚଳିତ ବର୍ଷ ୧୩୦ ଆତଙ୍କବାଦୀଙ୍କୁ ସଫା କରିଥିବା ବେଳେ କେବଳ ଜୁନରେ ନିହତ ହୋଇଛନ୍ତି ୫୦ ଆତଙ୍କବାଦୀ ।