ରୁଷ ଉପରେ ପ୍ରତିବନ୍ଧକ, ବର୍ଷିଲା ଚୀନ୍ । ଯୁଦ୍ଧ ପାଇଁ ଆମେରିକାକୁ କଲା ଦାୟୀ ।

328

କନକ ବ୍ୟୁରୋ : ୟୁରୋପ ସହ ବୈଠକ ବେଳେ ଅସନ୍ତୋଷ ଝାଡିଲା ବେଜିଂ । ଯୁଦ୍ଧ ବେଳେ ଆମେରିକା ଏକତରଫା ଭାବେ ରୁଷ ବିରୋଧରେ ପ୍ରତିବନ୍ଧକ ଲଗାଇଛି ବୋଲି ଚୀନ୍ କହିଛି । ସେପଟେ ଯୁଦ୍ଧର ୩୮ ଦିନରେ ୟୁକ୍ରେନକୁ ପୁଣି ଥରେ ଆମେରିକା ସହଯୋଗର ହାତ ବଢାଇଛି ।

ରୁଷ ଉପରେ ପ୍ରତିବନ୍ଧକ, ବର୍ଷିଲା ଚୀନ୍ । ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କଲା । ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିବ ନାହିଁ ଚୀନ୍ । ଶୁକ୍ରବାର ୟୁରୋପୀୟ ଦେଶ ସହିତ ଚାଲିଥିବା ଭରଚୁଆଲ ବୈଠକରେ ବେଜିଂ ପୁଣିଥରେ ଏପରି ସଫେଇ ଦେଇଛି । ଆଉ ଯୁଦ୍ଧ ପାଇଁ ଆମେରିକା ହିଁ ଦାୟୀ ବୋଲି ଚୀନ୍ କହିଛି । ରୁଷ ସୀମାରେ ନାଟୋ ସେନା ମୁତୟନ ହୋଇଛନ୍ତି । ଏପରି ସେନା ମୁତୟନକୁ ଚୀନ ନାପସନ୍ଦ କରିଛି । ଏପରି ହେବା ଦ୍ୱାରା ଅଧିକ ଉତ୍ତେଜନା ସୃଷ୍ଟି ହେଉଛି । ନାଟୋ ସେନା ମୁତୟନ ପଛରେ ଆମେରିକାର ହାତ ରହିଛି ବୋଲି କହିଛି ଚୀନ୍ । ୟୁରୋପର ୨୭ଟି ଦେଶରୁ ୨୧ଟି ଦେଶ ନାଟୋରେ ସାମିଲ ରହିଛନ୍ତି । ଆଉ ୟୁରୋପ ସହିତ ବୈଠକ ବେଳେ ବେଜିଂ ସିଧାସିଧା ନାଟୋକୁ ଟାର୍ଗେଟ କରି ପରୋକ୍ଷରେ ୟୁକ୍ରେନ ସମର୍ଥିତ ଦେଶକୁ କହିଦେଇଛି ଚୀନ ରୁଷ ସହିତ ଛିଡା ହୋଇଛି ।

ଚୀନର ବୈଦେଶିକ ମୁଖପାତ୍ର ଝାଓ ଲିଜିୟାନା କହିଛନ୍ତି, ପ୍ରତିବନ୍ଧକ ଲଗାଇ ବିବାଦର ସମାଧାନ କରିହୁଏନି । ଯେଉଁ ପ୍ରତିବନ୍ଧକ ଲଗାଯାଇଛି ତାହା ଏକ ତରଫା । କିନ୍ତୁ ଯୁଦ୍ଧର ବିଚାରଧାରାକୁ ବେଜିଂ ବିରୋଧ କରୁଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଯୁଦ୍ଧ ୩୮ ଦିନରେ ପହଞ୍ଚିଛି । ରୁଷ ବିରୋଧରେ ଯୁଦ୍ଧ ଜାରି ରଖିବା ପାଇଁ ୟୁକ୍ରେନକୁ ପୁଣିଥରେ ଆମେରିକା ସହଯୋଗର ହାତ ବଢାଇଛି । ୩୦୦ ମିଲିଅନ ଡଲାର ଏଥିପାଇଁ ମଞ୍ଜୁର କରିଥିବା ଆମେରିକାର ପ୍ରେସ ସଚିବ ଜନ କିର୍ଭି କହିଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କିନ୍ତୁ ରୁଷ ବିରୋଧରେ ଯୁଦ୍ଧକୁ ଆହୁରି ଆଗକୁ ନେବା ପାଇଁ ଏକ ଭିଡିଓ ଜାରି କରିଛନ୍ତି । ଟ୍ୟାଙ୍କ, ବିମାନ ଏବଂ ତୋପ ଆଦି ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ସେପଟେ ରୁଷ ବିରୋଧରେ ତିକ୍ତତା କମାଇବା ପାଇଁ ଆମେରିକା ବାଲିଷ୍ଟିକ ମିସାଇଲ ପରୀକ୍ଷାକୁ ବାତିଲ କରିଥିବା ସୂଚନା ରହିଛି । ସେପଟେ ୟୁକ୍ରେନର ମାରିଓପୋଲରେ ଯୁଦ୍ଧର ପରବର୍ତୀ ଚିତ୍ର ଦେଖିବାକୁ ମିଳିଛି । ହସ୍ପିଟାଲ, ଘର, ବ୍ୟାଙ୍କ ଆଦି ରୁଷ ସେନାର ଆକ୍ରମଣରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।