ଚୀନ୍ ଖେଳୁଛି ସାଂଘାତିକ ଚାଲ। ଗୋଟିଏ ପଟେ ଆଲୋଚନା କରୁଛି, ଅନ୍ୟପଟେ ସୀମାରେ ଲଢୁଆ ହେଲିକପ୍ଟରର ଗତିବିଧି ବଢାଉଛି ।

727

ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ସ୍ଥିତି ଥିବା ବେଳେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଚେଷ୍ଟା ଚାଲିଛି । ଆଲୋଚନା ପୂର୍ବରୁ ଚୀନ୍ ସେନା ୨ କିଲୋମିଟର ପଛକୁ ହଟିଥିଲେ ମଧ୍ୟ ଏବେ ପୁଣିଥରେ ନିଜର ଅସଲି ରୂପ ଦେଖାଇଛି । ପୂର୍ବ ଲଦାଖ ସୀମାର ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍ ପୁଣିଥରେ ହେଲିକପ୍ଟର ଗତିବିଧିକୁ ବଢାଇ ଦେଇଛି । ଲଦାଖରେ ଡେରା ପକାଇଥିବା ଡ୍ରାଗନବାହିନୀର ସହାୟତା ପାଇଁ ଚୀନ୍ ଏହି ହେଲିକପ୍ଟରକୁ ନିୟୋଜିତ କରିଛି । ଯାହା ସ୍ପଷ୍ଟ ଦର୍ଶାଉଛି, ସୀମାରେ ଚୀନ୍ ଶକ୍ତି ଜୁଟାଇବାରେ ଲାଗିଛି ।

ଚୀନ୍ ନିଜର ସେନାର ଯବାନଙ୍କୁ ହେଲିକପ୍ଟରରେ ନେବା ଆଣିବା କରିବା ସହ ସାମଗ୍ରୀ ପରିବହନ, ପେଟ୍ରୋଲିଙ୍ଗ ପାଇଁ ବ୍ୟବହାର କରୁଛି । କେବଳ ଏତିକି ନୁହେଁ ଡ୍ରାଗନବାହିନୀ ନିଜର ଲଢୁଆ ଏୟାରକ୍ରାଫ୍ଟକୁ ମଧ୍ୟ ଭାରତୀୟ ସୀମା ନିକଟରେ ଉଡାଇବା ଆରମ୍ଭ କରିଛି ।

ଏଭଳି ସ୍ଥିତିରେ ଚୀନ୍ ଉପରେ କଡା ନଜର ରଖିଛି ଭାରତ । ଚୀନର ହୁତାନ ଓ ଗୁଲଗୁନ୍ସା ବେସରେ ଡ୍ରାଗନବାହିନୀର ପ୍ରତିଟି ଗତିବିଧି ଉପରେ ଭାରତୀୟ ସେନା ତୀକ୍ଷଣ ନଜର ରଖିଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଏହି ବେସ ଗୁଡିକରେ ୧୦ରୁ ୧୨ଟି ଲଢୁଆ ବିମାନକୁ ଚୀନ୍ ପ୍ରସ୍ତୁତ କରି ରଖିଛି । ମେ ଆରମ୍ଭରୁ ସୀମାରେ ଚୀନ୍-ଭାରତ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଏଲଏସି ନିକଟରେ ଡ୍ରାଗନବାହିନୀର ବିମାନ ଉଡିବା ପରେ ଏହି ବିବାଦ ବଢିବାରେ ଲାଗିଥିଲା । କାରଣ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ, ଯେଉଁଠାରେ ଚୀନର ଲଢୁଆ ବିମାନ ଉଡିଥିଲା ତାହା ଭାରତୀୟ ସୀମାର ମାତ୍ର ୧୦ କିଲୋମିଟର ଦୂରରେ ଥିଲା ।

Comments are closed.