ଟିକାକୁ ନେଇ ଆଉ ପାଦେ ଆଗେଇଲା ଚୀନ । ଶିଶୁଙ୍କୁ ଦିଆଯିବାକୁ ଥିବା କରୋନା ଟିକାକୁ ଚୀନର ଅନୁମୋଦନ

259

କନକ ବ୍ୟୁରୋ: କରୋନା ଦ୍ୱିତୀୟ ଲହରରେ ସାରା ବିଶ୍ୱ ଆତଙ୍କିତ । ବିଶ୍ୱରେ ଏବେ ବି କରୋନା ସଂକ୍ରମଣ ଥମିନି । ଏପରି ସମୟରେ ଚୀନ୍ ତୃତୀୟ ଲହର ଆଗରୁ କରୋନା ଟିକାକୁ ନେଇ ଆଉ ପାଦେ ଆଗକୁ ଆସିଛି । ଚୀନର ସାଇନୋଭାକ୍ ବାୟୋଟେକ ଦ୍ୱାରା ନିର୍ମିତ ୩ ବର୍ଷରୁ ଅଧିକ ବୟସ୍କ ଶିଶୁଙ୍କୁ ଦିଆଯାଇ ପାରୁଥିବା ଟିକାକୁ ଚୀନ୍ ସରକାର ଅନୁମୋଦନ ପ୍ରଦାନ କରିଥିବା ସୂଚନା ମିଳିଛି । ଚୀନରେ ବର୍ତମାନ ସୁଦ୍ଧା ଦିଆଯାଉଥିବା ଟିକା ଗୁଡିକ କେବଳ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।

ଚୀନର ଏକ ରାଷ୍ଟ୍ରାୟତ ଗଣମାଧ୍ୟମକୁ ଦେଇଥିବା ବିବୃତିରେ କମ୍ପାନିର ଅଧ୍ୟକ୍ଷ ୟିନ୍ ୱେଇଡୋଙ୍ଗ୍ ଶୁକ୍ରବାର ଦିନ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ଠିକ୍ କେଉଁ ଦିନ ଠାରୁ ପିଲାମାନଙ୍କୁ ଏହି ଟିକା ଦିଆଯିବ ସରକାର ତାହା ଘୋଷଣା କରିନାହାନ୍ତି। ଚୀନ୍ ସ୍ବାସ୍ଥ୍ୟ ଅଧିକାରୀଙ୍କ ଟିକାକରଣ ବନ୍ଦୋବସ୍ତ ଉପରେ ଛୁଆମାନଙ୍କୁ ସାଇନୋଭ୍ୟାକ୍ର ଟିକା ଦେବା ଆରମ୍ଭ ତାରିଖ ନିର୍ଭର କରୁଛି ବୋଲି ୟିନ୍ ୱେଇଡୋଙ୍ଗ୍ କହିଛନ୍ତି।

ଏହି ଟିକା ଛୁଆମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ବୋଲି ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ନୈଦାନିକ ପରୀକ୍ଷାରୁ ପ୍ରାପ୍ତ ପ୍ରାଥମିକ ରିପୋର୍ଟର ଫଳାଫଳରୁ ଜଣାପଡ଼ିଛି। ଏପର୍ଯ୍ୟନ୍ତ ଏହି ଟିକାର ପାଶ୍ୱର୍ ପ୍ରତିକ୍ରିୟା ଅତି ସାମାନ୍ୟ ଥିବା କଥା ଜଣାପଡ଼ିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଦୁଇଟି ରେଗୁଲାର୍ ଡୋଜ୍ ନେଇ ସାରିବା ପରେ ପରୀକ୍ଷାରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀ ଶିଶୁମାନଙ୍କୁ ‘ତୃତୀୟ ବୁଷ୍ଟର୍ ଡୋଜ୍’ ଦିଆଯାଇଥିଲା। ଏହା ସପ୍ତାହକ ମଧ୍ୟରେ ୧୦ଗୁଣ ଏବଂ ଦୁଇ ସପ୍ତାହରେ ୨୦ଗୁଣ ଆଣ୍ଟିବଡି ବୃଦ୍ଧି କରିଥିବା ଜଣାପଡ଼ିଛି ବୋଲି ୟିନ୍ କହିଛନ୍ତି। ଚୀନ୍ର ‘କ୍ୟାନ୍ସାଇନୋ ବାୟୋଲୋଜିକ୍ସ୍’ଦ୍ବାରା ପ୍ରସ୍ତୁତ ୬ ରୁ ୧୭ ବର୍ଷ ବୟସ୍କବର୍ଗଙ୍କ ନିମିତ୍ତ ଟିକା ସମ୍ପ୍ରତି ଦ୍ବିତୀୟ ପର୍ୟ୍ୟାୟ ପରୀକ୍ଷଣରେ ରହିଛି।