ଘନଉଛି ଆମେରିକା–ଚାଇନା ବିବାଦ । ଆରମ୍ଭ ହେଲା ବାଣିଜ୍ୟିକ ଦୂତାବାସ ବନ୍ଦ ରେସ୍, କେହି କାହାରିକୁ ଛାଡିବାକୁ ନାରାଜ ।

604

କନକ ବ୍ୟୁରୋ :  ଆମେରିକା ଓ ଚୀନ୍ ମଧ୍ୟରେ ଛକାପଞ୍ଝାର ଖେଳ । ହୁଷ୍ଟନରେ ଥିବା ଚୀନ୍ ବାଣିଜ୍ୟିକ ଦୂତାବାସ ବନ୍ଦ କରିବାର ଗୋଟିଏ ଦିନ ପରେ ଚୀନର ଜବାବି କାର୍ଯ୍ୟାନୁଷ୍ଠାନ । ଚୀନର ଚେଙ୍ଗଡୁ ସହରରେ ଥିବା ଆମେରିକାର ବାଣିଜ୍ୟିକ ଦୂତାବାସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବେଜିଂ । ଉଭୟ ଦେଶ ମଧ୍ୟରେ ଉତେଜନା ଜାରି ରହିଥିବା ବେଳେ ଏବେ ଏହି ନୂଆ ଘଟଣା ସମ୍ପର୍କକୁ ଆହୁରି ଖରାପ କରିଛି ।

ବଢ଼ିଚାଲିଛି ଆମେରିକା ଚୀନ୍ ମଧ୍ୟରେ ତିକ୍ତତା । ଆମେରିକାର ଆରୋପ ପରେ ଚୀନର ପ୍ରତ୍ୟାରୋପ । ୱାଶିଂଟନର କାର୍ଯ୍ୟାନୁଷ୍ଠାନ ପରେ ବେଜିଂର ପାଲଟା କାର୍ଯ୍ୟାନୁଷ୍ଠାନ । ଏମିତି ଚାଲିଛି ଆମେରିକା ଓ ଚୀନ୍ ମଧ୍ୟରେ ଛକାପଂଝାର ଖେଳ । ଚେଙ୍ଗଡୁରେ ଥିବା ଆମେରିକାର ବାଣିଜ୍ୟିକ ଦୂତାବାସ ବନ୍ଦ କରିବାକୁ ନିର୍ଦେଶ ଦେଇଛି ଚୀନ୍ । ଯଥାଶୀଘ୍ର ଚୀନର ଚେଙ୍ଗଡୁ ସହରରେ ଥିବା ଏହି ଦୂତାବାସ ଖାଲି କରିବାକୁ ଜିନପିଂଗଙ୍କ ସରକାର ନିର୍ଦ୍ଦେଶ ଦେଇଛି । ଟ୍ରମ୍ପ ପ୍ରଶାସନ ହୁଷ୍ଟନ ସହରରେ ଚୀନ୍ ବାଣିଜ୍ୟିକ ଦୂତାବାସ ବନ୍ଦ କରିବାର ଗୋଟିଏ ଦିନ ଭିତରେ ପାଲଟା ଜବାବ ଦେଇଛି ବେଜିଂ । ଚୀନ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଚେଙ୍ଗଡୁ ବାଣିଜ୍ୟିକ ଦୂତାବାସ ବନ୍ଦ କରିବା ନିଷ୍ପତି ଯଥାର୍ଥ । ଆମେରିକା ସହ ସମ୍ପର୍କ ଖରାପ କରିବା ଚୀନ୍ ଚାହେଁ ନାହିଁ , ହେଲେ ଟ୍ରମ୍ପ ପ୍ରଶାସନର କାର୍ଯ୍ୟକଳାପ ଯୋଗୁଁ ଏପରି ଘଟୁଛି ବୋଲି ଚୀନ୍ କହିଛି । ତେବେ ୱାଂଶିଟନ ଉପରେ ସବୁ ଦୋଷ ଲଦୁଥିବା ଚୀନ୍ ଯେତେ ସଫେଇ ଦେଲେ ମଧ୍ୟ ଏହା ଆମେରିକାକୁ ସନ୍ତୁଷ୍ଟ କରିପାରିନି ।

ଚୀନର ଉହାନ ସହରରୁ କରୋନା ଭୂତାଣୁ ଆରମ୍ଭ ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଏହାକୁ ନେଇ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଚୀନ୍ ଜାଣିଶୁଣି କରୋନାକୁ ନିୟନ୍ତ୍ରଣ ନକରି ଏହାକୁ ଅନ୍ୟଦେଶରେ ବ୍ୟାପିବାକୁ ଛାଡ଼ି ଦେଇଥିଲା ବୋଲି ଆମେରିକା ଅଭିଯୋଗ କରିଥିଲା । ଏପରି ରାଷ୍ଟ୍ରପତି ଟ୍ରମ୍ପ କରୋନାକୁ ଉହାନ ଭୂତାଣୁ ବୋଲି କହିଥିଲେ । ଏହାର ପାଲଟା ଜବାବରେ କରୋନା ଆମେରିକୀୟ ସେନା ଦ୍ୱାରା ବ୍ୟାପିଛି ବୋଲି ଚୀନ୍ ସେତେବେଳେ ଅଭିଯୋଗ କରିଥିଲେ । ବାଣିଜ୍ୟ ଯୁଦ୍ଧରୁ ଆରମ୍ଭ କରି ଦକ୍ଷିଣ ଚୀନ୍ ସାଗର, ହୁଏଇ ନେଟୱର୍କ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଚୀନର ଭୂମିକା ପରି ପ୍ରସଙ୍ଗକୁ ନେଇ ଦୁଇ ଦେଶର ସମ୍ପର୍କ ଖରାପ ହୋଇଚାଲିଛି ।

ଆମେରିକା ବିଶ୍ୱର ଏକ ନମ୍ବର ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଉଥିବା ବେଳେ ଏହି ସ୍ଥାନ ନେବାକୁ ଏବେ ଚେଷ୍ଟା କରୁଛି ଚୀନ । ଜିନପିଂଗ ରାଷ୍ଟ୍ରପତି ହେବା ପରେ ଏହି ପ୍ରୟାସକୁ ଜୋରଦାର କରିଛି ବେଜିଂ । ଫଳରେ ରୁଷ୍-ଆମେରିକା ଶୀତଳ ଯୁଦ୍ଧ ପରି ଏବେ ଚୀନ୍ ଓ ଆମେରିକା ମଧ୍ୟରେ ନୂଆ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି ।