ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ମାନିଲା ଚୀନ୍ : ଆଉ ସୀମାରେ ଦୁଇ ପକ୍ଷ ବଢାଇବେ ନାହିଁ ସୈନ୍ୟ ବଳ; ଲଦାଖ ଏଲଏସି ବିବାଦ ପରଠାରୁ ସୀମାକୁ ନେଇ ଲାଗି ରହିଛି ଉତେଜନା  

157

କନକ ବ୍ୟୁରୋ : ଦୀର୍ଘ ୧୩ ଘଂଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଂଚଳରେ ବଢାଇବେନି ସୈନ୍ୟ ବଳ । ଏହା ଦ୍ୱାରା ସୀମାନ୍ତ ଏଲଏସିରେ ଲାଗି ରହିଥିବା ଉତେଜନା କମ୍ ହୋଇପାରିବ ବୋଲି ଦୁଇ ଦେଶ ସହମତ ହୋଇଛନ୍ତି । ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ଗତ ଜୁନ୍ ମାସରୁ ଏଲଏସିରେ ସୃଷ୍ଟି ହୋଇଥିବା ଉତେଜନାମୂଳକ ସ୍ଥିତି କିପରି କମ ହୋଇପାରିବ ତାହା ଉପରେ ଦିଆଯାଇଥିଲା ଫୋକସ୍ । ସୋମବାର ଏନେଇ ଆରମ୍ଭ ହୋଇଥିବା ବୈଠକରୁ ଆରମ୍ଭ ହୋଇଥିଲା କଥାବାର୍ତା ଜରିଆରେ ବାଟ ବାହାର କରିବାର ଧାରା ।

ସୋମବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ୧୩ ଘଂଟା ଧରି ଚାଲିଥିଲା । ଦୁଇ ଦେଶ ଆଗୁଆ ମୋର୍ଚା ଗୁଡିକୁ ଆଉ ଅଧିକ ସୈନ୍ୟ ବଳ ପଠାଇବେ ନାହିଁ ବୋଲି ଏହି ବୈଠକରେ ଭାରତ ସହିତ ସହମତ ହୋଇଛି ଚୀନ୍ । ବର୍ତମାନ ଲଦାଖର ଏଲଏସିରେ ଫିଙ୍ଗର ୪ର ଗୁରୁତ୍ୱପୂର୍ଣ୍ଣ ଘାଟି ଗୁଡିକରେ ଭାରତୀୟ ସେନା କବଜା କରି ସାରିଛି । ଉଚ୍ଚ ଘାଟି ଗୁଡିକରେ ଭାରତୀୟ ସେନା ପହଁଚିବା ପରେ ପ୍ରକୃତରେ ଏଲଏସିରେ ଚୀନ ପାଇଁ ସ୍ଥିତି ଅଡୁଆ ହୋଇଛି । ଏହାରି ମଧ୍ୟରେ ସୀମାରେ ବାରମ୍ୱାର ଏଲଏସିରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଆସୁଛି ।

ଏହାରିି ଭିତରେ ଆଗକୁ ଶୀତ ଆସୁଥିବା ବେଳେ ସୀମାରେ ଭାରତ ଚୀନ୍ କୁ ଦେଖିବା ପରେ ଅଧିକ ସୈନ୍ୟ ବଳ ପଠାଇବା ସହିତ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଅସ୍ତ୍ରଶସ୍ତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ୍ କରି ସାରିଛି । ଏଲଏସିରେ ଚୀନ୍ ର ଚାଲ୍ କାମ ଦେଉନଥିବାରୁ ଏବେ ଚୀନ୍ , ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ସୀମାରେ ଆଉ ସୈନ୍ୟ ବଳ ନଢାଇବାକୁ ରାଜି ହୋଇଛି । ତେବେ ଚୀନ୍ ଏହି ନିଷ୍ପତିକୁ କେତେ ଦୂର ପାଳନ କରୁଛି ତାହା ଉପରେ ରହିଛି ନଜର । ଖୁବଶୀଘ୍ର ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ହେବା ନେଇ ସୀମା ଶାନ୍ତି ଆଲୋଚନା ଆଗକୁ ବଢାଇବାକୁ ମଧ୍ୟ ବୈଠକରେ ସହମତି ହୋଇଥିବା ସୂଚନା ଦେଇଛି ଚୀନ୍ ସରକାରଙ୍କ ଜାତୀୟ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ।

Comments are closed.