ଭାରତ ବିରୋଧରେ ସାଂଘାତିକ ଷଡଯନ୍ତ୍ର ରଚୁଛି ଚୀନ୍ । ସିକ୍ରେଟ ୟୁନିଟ ଆକ୍ଟିଭ କଲା ଡ୍ରାଗନବାହିନୀ । ୬୧୩୯୮ ଜରିଆରେ କରିପାରେ ସାଇବର ଆକ୍ରମଣ । 

367

କନକ ବ୍ୟୁରୋ : କିଛି ଦିନ ଚୁପ୍ ବସିବା ପରେ ପୁଣିଥରେ ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଅଚାନକ ଚୀନ୍ ସେନା ନିଜର ସିକ୍ରେଟ ୟୁନିଟକୁ ଆକ୍ଟିଭ କରିଛି ଯାହା ପୂରା ବିଶ୍ୱରେ ପୂର୍ବରୁ ବଦନାମ । ଏହା ଏମିତି ଏକ ସିକ୍ରେଟ ୟୁନିଟ ଯିଏ ନା ସାମ୍ନାରୁ ନା ଅସ୍ତ୍ରରେ ଲଢିଥାନ୍ତି । ବରଂ କୌଣସି ଏକ କୋଣରେ ବସି ଅନ୍ୟ ଦେଶକୁ ଟାର୍ଗେଟ କରିପାରେ । ସୀମାରେ ଭାରତ ମୁହଁତୋଡ ଜବାବ ଦେବା ପରେ ଏବେ ଚୀନ ଏହି ସିକ୍ରେଟ ୟୁନିଟ ସହାୟତାରେ ଭାରତ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି । ଚୀନ ଏବେ ଭାରତ ଉପରେ ଡିଜିଟାଲ ଆଟାକ୍ କରି କ୍ଷତି ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି । ସୂଚନା ମୁତାବକ, ଏଥିପାଇଁ ଚୀନ୍ ସେନା ନିଜର ସିକ୍ରେଟ ୟୁନିଟ୍ ୬୧୩୯୮ ଆକ୍ଟିଭ କରିଛି ।

ଚୀନ୍ ସେନାର ସିକ୍ରେଟ ୟୁନିଟ୍ ୬୧୩୯୮ ବାବଦରେ ପୂରା ବିଶ୍ୱ ଜାଣିଛି । ଆଉ ଏବେ ଏହି ୟୁନିଟକୁ ଭାରତ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛି ଡ୍ରାଗନବାହିନୀ । ୬୧୩୯୮ ସିକ୍ରେଟ ୟୁନିଟରେ ହ୍ୟାକର୍ସ ଓ ସାଇବର ଏକ୍ସପର୍ଟ କାମ କରିଥାନ୍ତି । ସୁରକ୍ଷା ଏଜେନ୍ସିଂଙ୍କ ସୂଚନା ଅନୁଯାୟୀ, ଗତ କିଛି ମାସ ହେବ ସାଇବର ଜାସୁସୀ ଜରିଆରେ ଦେଶର ଅତି ସମ୍ବେଦନଶୀଳ ସୂଚନା ଚୀନ୍ ଚୋରି କରୁଥିବାର ଘଟଣା ସାମ୍ନାକୁ ଆସିଛି । ଏବେ କୌଣସି ଦେଶର ସମ୍ବେଦନଶୀଳ ତଥ୍ୟ ଚୋରି କରିବା ଶକ୍ତିଶାଳୀ ଅସ୍ତ୍ର ଠାରୁ ମଧ୍ୟ କମ୍ ନୁହେଁ । ଯେଉଁଥିପାଇଁ ଚୀନ୍ ଏବେ ସାଇବର ଜାସୁସୀକୁ ଗୁରୁତ୍ୱ ଦେଇଆସୁଛି । କେବଳ ସାଇବର ଆଟାକ୍ କରିବା ପାଇଁ ଚୀନ୍ ସେନା ସିକ୍ରେଟ ୟୁନିଟ୍ ୬୧୩୯୮ ଗଠନ କରିଛି ।

ଚୀନର ଏହି ସାଂଘାତିକ ଷଡଯନ୍ତ୍ରକୁ ପଣ୍ଡ କରିବାକୁ ଭାରତୀୟ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିବା ସହ ସତର୍କ ମଧ୍ୟ କରାଇଛନ୍ତି । ଗତ କିଛି ବର୍ଷ ହେବ ଚୀନ୍ ଲଗାତାର ଭାବେ ସାଇବର ଆଟାକ କରି ଆସୁଛି । ଚୀନରେ ୧୨ ମହଲା ବିଶିଷ୍ଟ ବିଲ୍ଡିଂରେ ଏହି ସିକ୍ରେଟ ୟୁନିଟ୍ କାମ କରିଥାଏ । ଆଉ ଏହାର ଠିକଣା ପୂରା ବିଶ୍ୱ ସାମ୍ନାକୁ ଆଣିଥିଲା ଆମେରିକାର ଏକ କମ୍ପ୍ୟୁଟର ସିକ୍ୟୁରିଟି ସଂସ୍ଥା । ଆମେରିକା ଉପରେ ହେଉଥିବା ସାଇବର ଆଟାକକୁ ନେଇ ଏହି ସଂସ୍ଥା ରିସର୍ଚ୍ଚ କରୁଥିଲା । ଆଉ ରିସର୍ଚ୍ଚରେ ସାଇବର ଆଟାକ କରୁଥିବା ହ୍ୟାକର୍ସଙ୍କର ଆଇପି ଆଡ୍ରେର୍ସ ଉକ୍ତ ବିଲ୍ଡିଂର ଆଖପାଖରେ ଦେଖାଉଥିଲା । ରିସର୍ଚ୍ଚ ମୁତାବକ, ୨୦୦୬ରୁ ୨୦୧୩ ମଧ୍ୟରେ ଆମେରିକା ଉପରେ ୧୪୦ ଥର ସାଇବର ଆଟାକ୍ କରାଯାଇଛି । ଏହାଠାରୁ ଅଧିକ ଆଟାକ୍ ମଧ୍ୟ ହୋଇଥାଇପାରେ । କିନ୍ତୁ ୧୪୦ଟି ମାମଲା ସାମ୍ନାକୁ ଆସିଥିଲା ।

ଚୀନ୍ ଏବେ ଏହି ସିକ୍ରେଟ ୟୁନିଟକୁ ଆକ୍ଟିଭ କରିବା ପଛରେ ବଡ କାରଣ ରହିଛି । ସୀମା ବିବାଦକୁ ନେଇ ଭାରତ ସହ ସମ୍ପର୍କ ଉତ୍ତେଜନାମୂଳକ ଥିବାରୁ ଚୀନ୍ ଏବେ ଭାରତ ବିରୋଧରେ ସାଇବର ଆଟାକକୁ ଅସ୍ତ୍ର କରିଛି । ଯାହାଦ୍ୱାରା ସିଧାସଳଖ ନୁହେଁ ବରଂ ସାଇବର ଆଟାକ କରି ଭାରତକୁ ବଡ ଝଟକା ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ଡ୍ରାଗନବାହିନୀ ।