ବିସ୍ତାରବାଦୀ ନୀତିରେ ଅଟଳ ଚୀନ । ଭାରତ ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା ସେନା । ଥରି ଉଠିଲା ଲଦାଖର ପାହାଡ

436

କନକ ବ୍ୟୁରୋ : ପୂର୍ବ ଲଦାଖର ପ୍ରକୃତ ସୀମାରେଖା ନିକଟରେ ଚାଇନା ଓ ଭାରତ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଭାରତ ଓ ଚୀନ ମଧ୍ୟରେ ଶାନ୍ତି ଆଲୋଚନା ଉଦ୍ୟମ ବିଫଳ ହେବା ପରେ ଏବେ ଯୁଦ୍ଧ ଆଶଙ୍କା ଘନିଭୂତ ହେବାରେ ଲାଗିଛି । କିଛିଦିନ ତଳେ ଭାରତ ସୀମାରେ ଚାଇନା ୬୦ ହଜାର ସୈନ୍ୟ ଠୁଳ କରିଥିବା ଖବର ଆସିଥିବା ବେଳେ ଏବେ ଆଉ ପାଦେ ଆଗକୁ ଯାଇ ଚୀନ ଭାରତ ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ।
ଏଭଳି ଖବର ଆସିବା ପରେ ସୀମାରେ ସ୍ଥିତି ପୁଣି ଗମ୍ଭୀର ହୋଇଛି । ଚାଇନା ନିଜର ବିସ୍ତାବାଦୀ ନୀତିରୁ ଉହୁରୁନଥିବା ବେଳେ ଜାଣିଶୁଣି ଭାରତକୁ ନିଜର ଶକ୍ତି ପ୍ରଦର୍ଶନ କରୁଛି । ଏଲ.ଏ.ସିର ୪୭୦୦ ମିଟର ଉଚ୍ଚ ପାହାଡ ଉପରେ ଚାଇନା ଯୁଦ୍ଧାଭ୍ୟାସ କରି କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଯୁଦ୍ଧାଭ୍ୟାସ କରୁଥିବା ଚାଇନା ସୈନ୍ୟ ବାହିନୀର ତିବ୍ଦତ ଥିଏଟର କମାଣ୍ଡ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । ଅନ୍ୟପଟେ ଭାରତ ଉପରେ ଚାପ ପକାଇବା ପାଇଁ ଚାଇନା ଏଭଳି କରୁଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ଏହି କ୍ଷେପଣାସ୍ତ୍ର ପରୀକ୍ଷା ବେଳେ ଲଦାଖର ପାହାଡ ଥରି ଉଠିଥିଲା । ଚାଇନାର ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମସ୍ ପକ୍ଷରୁ କୁହାଯାଇଛି ଯେ ଚାଇନା କୁରୁଥିବା ଯୁଦ୍ଧାଭ୍ୟାସରେ ୯୦ ପ୍ରତିଶତ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ର ଶସ୍ତ୍ରର ବ୍ୟବହାର କରାଯାଉଛି । ଏହା ସହ ଚାଇନା କରୁଥିବା ଯୁଦ୍ଧାଭ୍ୟାସର ଏକ ଛୋଟ ଭିଡିଓ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଟ୍ୱିଟରରେ ଅପଲୋଡ କରାଯାଇଛି ।