କନକ ବ୍ୟୁରୋ : କିଛି ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି । ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପ୍ରଶାନ୍ତ । ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ।

ବିଜେପିରେ ମିଶିବା ପରେ ପ୍ରଶାନ୍ତଙ୍କୁ ଭାରତୀୟ ଜନତା ପାର୍ଟିର ନେତାମାନେ ସ୍ୱାଗତ କରିଛନ୍ତି । ଅନ୍ୟପଟେ ପ୍ରଶାନ୍ତ ବିଜେପିରେ ସାମିଲ ହେବା ପରେ ଦାଗି ନେତା କହି କଟାକ୍ଷ କରିଛି ବିଜେଡି । ସେହିପରି କଂଗ୍ରେସ କହିଛି, ନିର୍ବାଚନ ସମୟରେ ଏମିତି ବହୁ ନେତା ଆସନ୍ତି, ଯାଆନ୍ତି ।

ବାଣପୁର ବ୍ଲକ ପରିସରରେ ଲୋକଙ୍କ ଉପରେ ଗାଡି ଚଢାଇ ବିବାଦୀୟ ହୋଇପଡିଥିଲେ ଏହି ବାହୁବଳୀ ନେତା । ବିବାଦ ପରେ ତାଙ୍କୁ ୨୦୨୧ ସେପ୍ଟେମ୍ବର ୯ରେ ତାଙ୍କୁ ବିଜେଡି ନିଲମ୍ବିତ କରିଥିଲା । ୨୦୨୨ ମାର୍ଚ୍ଚରେ ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା । ଜେଲରୁ ବାହାରିବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।