ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ

353

କନକ ବ୍ୟୁରୋ : ବିଜେପିରେ ଯୋଗଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଧରିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ୱରେ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେଇଛନ୍ତି । ଆଉ ପ୍ରଶାନ୍ତ ଜଗଦ୍ଦେବ ଦଳରେ ମିଶିବାକୁ  ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅପରାଜିତା । ଅନ୍ୟପଟେ ବିଜେପିରେ ସାମିଲ ହେଇ ଖୁସି ଥିବା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ଖୋର୍ଦ୍ଧା ଜିଲ୍ଲାର ଜଣେ ଟାଣୁଆ ନେତା ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ୨୦୧୪ ମସିହାରେ ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେଡି ଚିଲିକାରୁ ଟିକେଟ୍ ଦେଇଥିଲା । ଆଉ ଚିଲିକାରୁ ମଧ୍ୟ ସେ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେବେ ବିଜେପି କର୍ମୀଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କୁ ବିଜେଡି ଦଳରୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନର ଦୀର୍ଘ ଦିନ ପରେ ମଧ୍ୟ ତାଙ୍କ ଉପରେ ସସପେଣ୍ଡ ପ୍ରତ୍ୟାହାର ନହେବାରୁ, ଏବେ ସେ ବିଜେପିରେ ସାମିଲ ହେଇଛନ୍ତି ।

ସୂଚନାଯୋଗ୍ୟ ଯେ,  ବାଣପୁରରେ ଲୋକଙ୍କ ଉପରେ ଗାଡି ଚଢାଇଦେବା ଘଟଣା ପରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ପ୍ରଶାନ୍ତ । ସେତେବେଳେ ପ୍ରଶାନ୍ତଙ୍କ ଗାଡି ଚଢା ଘଟଣାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥିଲା । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା ।  ଯାହା କି ଆଜି ସତ ସାବ୍ୟସ୍ତ ହେଇଛି ।