ବିଧାୟକଙ୍କ ଦାଦାଗିରି । ସରକାରୀ କାର୍ଯ୍ୟକ୍ରମ ବେଳେ ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ବିଜେଡିର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ ।

366

କନକ ବ୍ୟୁରୋ : ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ବେଗୁନିଆ ପରେ ଏବେ ଚିଲିକାର ବିଧାୟକ ହୋଇଥିବା ଏହି ନେତା ନିଜ ପୁରୁଣା ରୋଗକୁ ଛାଡି ପାରିନାହାନ୍ତି । ବାଲୁଗାଁ ଏନଏସିରେ ଆବାସ ଓ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ବିଜେପି କର୍ମୀ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ । ଆଉ ଏଥିରେ ଉତକ୍ଷିପ୍ତ ହୋଇ ପ୍ରତିପକ୍ଷଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ବିଜେପି ପ୍ରତିବାଦ କରିବା ସହ ବିଧାୟକଙ୍କ ଗିରଫ ଦାବିରେ ଥାନାରେ ଏତଲା ଦେଇଛି ।

ଚିଲିକା ବିଜେଡି ବିଧାୟକଙ୍କ ଦାଦାଗିରି । ବିଧାନସଭା କ୍ଷେତ୍ର ବଦଳିଲା, ହେଲେ ବଦଳିଲାନି ପୁରୁଣା ରୋଗ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଆକ୍ରମଣାତ୍ମକ ମୁଦ୍ରାରେ ଏହି ରାଜନେତା । ସାମ୍ନାରେ ଥିବା ବିଜେପି କର୍ମୀଙ୍କୁ କରୁଛନ୍ତି ଆକ୍ରମଣ । ମାରିବାକୁ ହାତ ଉଠାଇଛନ୍ତି, ବିଧା ବି ମାରୁଛନ୍ତି । ଏସବୁ କଏଦ୍ ହୋଇଛି କ୍ୟାମେରାରେ, ଯେତେବେଳେ ଏକ ସରକାରୀ କାର୍ଯ୍ୟକ୍ରମକୁ ବିରୋଧ କରି ବିଜେପି କର୍ମୀ ନାରାବାଜି କରୁଥିଲେ, ସେତେବେଳେ ଉତ୍ୟକ୍ତ ହୋଇ ବିଧାୟକ ପ୍ରଶାନ୍ତ ଜଗଦେବ ଏହି ଆକ୍ରମଣ କରିଥିଲେ । ତେବେ ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ପୁରା ଘଟଣା ଥିଲା କିଛି ଏହିଭଳି । ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ଚାଲିଥିଲା ଆବାସ ଓ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ଏତିକିବେଳେ କିଛି ବିଜେପି କର୍ମୀ ପହଞ୍ଚି ପ୍ରତିବାଦ କରିଥିଲେ । ବାସ୍ ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିଲେ ପ୍ରଶାନ୍ତ ଜଗଦେବ । ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିଥିଲେ । ଏପରିକି ଖବର ସଂଗ୍ରହ ପାଇଁ ପହଞ୍ଚିଥିବା ସାମ୍ବାଦିକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ଘଟଣାକୁ ନେଇ ବିଜେପି ପକ୍ଷରୁ ବାଲୁଗାଁ ଥାନାରେ ମାମଲା ରୁଜୁ କରାଯିବା ସହ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ବଡ କଥା ହେଉଛି, ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏଭଳି ଦାଦାଗିରି ଖବର ଅନେକ ବାର ସାମ୍ନାକୁ ଆସିଛି । ପୂର୍ବରୁ ଏକାଧିକ ଥର ଆଇନକୁ ନିଜ ହାତକୁ ନେଇଥିଲେ ବି ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇନଥିଲା । ତାଙ୍କ ନାଁରେ ପୂର୍ବରୁ ଆସିଥିବା କିଛି ମାମଲା ଉପରେ ନଜର ପକାନ୍ତୁ ।

ବେଗୁନିଆର ବିଧାୟକ ଥିବା ସମୟରେ ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ କରି ବିବାଦୀୟ ହୋଇଥିଲେ ପ୍ରଶାନ୍ତ ଜଗଦେବ । ମାମଲାକୁ ନେଇ ଅନେକ ବିତର୍କ ହୋଇଥିଲା, ତଥାପି ପ୍ରଶାନ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।

ନିଜ କ୍ୱାର୍ଟର ନିକଟରେ ଜଣେ ଉଠାଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେଇ ନିନ୍ଦିତ ମଧ୍ୟ ସେ ହୋଇଥିଲେ । ଯାହାର ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା । ସେହିଭଳି ବେଗୁନିଆରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ବେଳେ ଭଙ୍ଗାରୁଜା ମଧ୍ୟ ସେ କରିଥିଲେ । ଚିଲିକା ବିଧାୟକ ହେବା ପରେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ବଢିଛି । ଆଉ ସରକାରୀ ସ୍ତରରେ ତାଙ୍କ ବିରୋଧରେ ନା ଅଙ୍କୁଶ ଲାଗୁଛି ନା ଦଳୀୟ ସ୍ତରରେ ହେଉଛି କାର୍ଯ୍ୟାନୁଷ୍ଠାନ ।