କନକ ବ୍ୟୁରୋ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି । ବାଣପୁର ବ୍ଲକ ନିକଟରେ ବିଜେପି କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡି ଚଢାଇଦେବା ଅଭିଯୋଗ । ଗୁରୁତରଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନେକ ସାଧାରଣ ଲୋକ, ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ଏଭଳି ଅମାନବୀୟ କାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ଚିଲିକା ବିଧାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଲୋକଙ୍କ ମାଡରେ ପ୍ରଶାନ୍ତଙ୍କ ମୁଣ୍ଡ ଫାଟିଥିବା ବେଳେ ଲହୁଲୁହାଣ ହୋଇଛନ୍ତି । ଏପରିକି ସ୍ଥାନୀୟ ଲୋକେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ଘଟଣାସ୍ଥଳରୁ ପୋଲିସ ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।
ଅନ୍ୟପଟେ ବିଧାୟକଙ୍କ ଗାଡି ଚଢାଇଦେବା ଘଟଣାରେ ୨୫ ଜଣ ଆହତ ହୋଇଥିବା କହିଛନ୍ତି ବାଲୁଗାଁ ଏସଡିପିଓ । ୭ ଜଣ ପୋଲିସ କର୍ମଚାରୀ, ୧୫ ଜଣ ବିଜେପି କର୍ମୀ, ଜଣେ ବିଜେଡି କର୍ମୀ, ୨ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ଏହି ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜଣେ ଜନପ୍ରତିନିଧି ଏଭଳି ନୃଂଶସ କାମ କରିବ ତାହା କଳ୍ପନାର ବାହାରେ । ଯେଉଁ ଅଘଟଣ ଘଟିଛି ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି । ଏଭଳି ଲୋକ ସାଧାରଣ ଜନଜୀବଦନରେ ଚଳିବାକୁ ଅଯୋଗ୍ୟ । ତାଙ୍କୁ ତୁରନ୍ତ ଜେଲର ଚାରିକାନ୍ଥ ମଧ୍ୟକୁ ପଠାଯାଉ । ଜଣେ ବିଧାୟକ ଏଭଳି କାଣ୍ଡ କଲେ ନିଶ୍ଚୟ ଲୋକଙ୍କ ରୋଷର ଶିକାର ହେବେ । ଓଡ଼ିଶାରେ ଏଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏଭଳି ଜଣେ ଅମଣିଷ, ଅଯୋଗ୍ୟ ମଣିଷ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।