ମାଫିଆଙ୍କ କବଜାକୁ ଚାଲିଯାଇଛି ଚିଲିକା ! ଘେରି ଉଚ୍ଛେଦକୁ ନେଇ ମୁହାଁମୁହିଁ ସ୍ଥିତି, ଉଚ୍ଛେଦ କାର୍ଯ୍ୟକୁ ୭ ଦିନ ସ୍ଥଗିତ ରଖିଲା ପ୍ରଶାସନ ।

30

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକାରେ ଯେଉଁ ବେଆଇନ ଘେରି ଉଚ୍ଛେଦ ଚାଲିଥିଲା, ସେଥିରେ ରୋକ୍ ଲାଗିଛି । ମତ୍ସ୍ୟଜୀବୀ ମିଳିତ ସଂଘର ଚାପ ଯୋଗୁଁ ୭ ଦିନ ପାଇଁ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ । ତେବେ ଅଭିଯୋଗ ହେଉଛି, ମାଫିଆମାନେ ଉଚ୍ଛେଦ କାର୍ଯ୍ୟକୁ ଭଣ୍ଡୁର କରିବା ପାଇଁ କଳ ବଳ କୌଶଳ ସବୁ କିଛି ଲଗାଇ ଦେଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତୃପକ୍ଷ ମଧ୍ୟରେ ତାଳ ମେଳ ରହୁନଥିବାରୁ ପରିସ୍ଥିତି ଜଟିଳ ହେବାକୁ ଲାଗିଛି ।

ମାଫିଆଙ୍କ କବଜାକୁ ଚାଲିଯାଇଛି ଚିଲିକା । ଘେରି ଉଚ୍ଛେଦକୁ ନେଇ ମୁହାଁମୁହିଁ ସ୍ଥିତି । ଉଚ୍ଛେଦ କାର୍ଯ୍ୟକୁ ୭ ଦିନ ସ୍ଥଗିତ ରଖିଲା ପ୍ରଶାସନ । ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ପାଇଁ ଅଂଟା ଭିଡିଥିଲା ଚିଲିକା ଉନ୍ନୟନ କର୍ତୃପକ୍ଷ । କିଛି ସଫଳତା ମଧ୍ୟ ମିଳିଥିଲା । ହେଲେ ଏହି ଉଚ୍ଛେଦ କାର୍ଯ୍ୟ ଉପରେ ଏବେ ଲାଗିଛି ବ୍ରେକ୍ । କାରଣ ମତ୍ସ୍ୟଜୀବୀ ମିଳିତ ମଂଚର ଆନ୍ଦୋଳନ ପରେ ୭ ଦିନ ଯାଏଁ ଉଚ୍ଛେଦ କାର୍ଯ୍ୟକୁ ରୋକି ଦେଇଛି ଜିଲ୍ଲା ପ୍ରଶାସନ ।

ଘେରି ଉଚ୍ଛେଦ କାର୍ଯ୍ୟକୁ ଭଣ୍ଢୁର କରିବା ପାଇଁ ମଧ୍ୟ ମାଫିଆମାନେ କଳବଳ କୌଶଳ ଖଟାଇ ଦେଇଛନ୍ତି । ଏପରି ମଧ୍ୟ ଅଭିଯୋଗ ହେଉଛି ମତ୍ସ୍ୟଜୀବୀ ସଂଘକୁ ଢ଼ାଲ କରି ମାଫିଆମାନେ ନିଜ ସ୍ୱାର୍ଥ ହାସଲ ପାଇଁ ଷଡଯନ୍ତ୍ର କରୁଛନ୍ତି । ମତ୍ସ୍ୟଜୀବୀ ମିଳିତ ମଂଚ ଦାବି କରିଛି, ପରବର୍ତି ବୈଠକରେ ଆଲୋଚନା କରି ନିଷ୍ପତି ନ ନିଆଯିବା ପର୍ଯ୍ୟନ୍ତ ଚିଲିକା ଉନ୍ନୟନ କର୍ତୃପକ୍ଷ ମତ୍ସ୍ୟଜୀବୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି ।

ଗୋଟିଏ ପଟେ ଚିଲିକାରେ ଚିଙ୍ଗୁଡ଼ି ମାଫିଆଙ୍କ ରାଜ୍, ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତୃପକ୍ଷ ମଧ୍ୟରେ ତାଳ ମେଳ ରହୁନଥିବାରୁ ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଜିଲ୍ଲା ପ୍ରଶାସନ ୭ ଦିନ ପାଇଁ ଉଚ୍ଛେଦକୁ ସ୍ଥଗିତ ରଖିଥିବା ବେଳେ ସିଡିଏ ଜାରି ରଖିଛି ଉଚ୍ଛେଦ । ଚିଲିକାରେ ଥିବା ୧୬୦ ବର୍ଗ କିଲୋମିଟର ବ୍ୟାପୀ ଘେରିକୁ ଉଚ୍ଛେଦ କରାଯାଉଛି । ତେବେ ଓରସାକ୍ କରିଥିବା ସର୍ଭେ ଅନୁଯାୟୀ ୩୪୦ ଘେରିକୁ ଉଚ୍ଛେଦ କରିବା ପାଇଁ ତାଲିକା ପ୍ରସ୍ତୁତ କରିଛି ସିଡିଏ । ଏ ନେଇ ମଧ୍ୟ ତିନି ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ତେବେ ଏହାକୁ ଭଣ୍ଡୁର କରିବା ପାଇଁ ବେଶ ସକ୍ରୀୟ ହୋଇପଡିଛି ମାଫିଆ ଗୋଷ୍ଠୀ ।