ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍ : ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ

ଜାମିନ ଦେବାକୁ ତଳକୋର୍ଟକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ; ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରଖିଲେ କୋର୍ଟ

118

କନକ ବ୍ୟୁରୋ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି । ଆଜି ଏହି ଆବେଦନର ଶୁଣାଣି କରି ବିଧାୟକଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏବେ ଆଉ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଉ ଜେଲ ଯିବାକୁ ପଡିବନାହିଁ । ଏକମାସ ଧରି ଫେରାର ରହିବା ପରେ ଗତ ୮ ତାରିଖରେ କୋର୍ଟରେ ଆତ୍ମସର୍ମପଣ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାପରେ ସେ ଅସୁସ୍ଥ ହୋଇପଡିଥିଲେ ଓ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ।

ଏବେ ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ମଞ୍ଜୁର ଦେଇଛନ୍ତି । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ । ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷରୁ ମଧ୍ୟ ହଟାଯାଇଥିଲା । ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଥିଲା । ଏହାପରେ ଏକ ମାସ ଧରି ଫେରାର ହେବା ପରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁରେ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିର ସ୍ଥାନୀୟ ମଣ୍ଡଳ ଅଧ୍ୟକ୍ଷ ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ଚିଲିକା ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି । ହେଲେ ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରି ବାରମ୍ବାର ରାସ୍ତାକୁ ଓହ୍ଲାଇଥିଲା ବିଜେପି । ଏନଏସି କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜ୍, ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବୟାନ ଆଧାରରେ ବିଧାୟକଙ୍କୁ ତୁରନ୍ତ ଗରିଫ କରିବାକୁ ଦାବି ଉଠିଥିଲା ।