ଆଜି ବିଘ୍ନବିନାଶଙ୍କ ଆବାହନ : କୋଭିଡ କଟକଣା ଭିତରେ ହେଉଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା

ସ୍କୁଲରେ ବିନା ଛାତ୍ରଛାତ୍ରୀଙ୍କ ହେଉଛି ଗଣେଷ ପୂଜା

133

କନକ ବ୍ୟୁରୋ : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟମାନଙ୍କରେ ପୂଜା ପାଳନ ଉପରେ କଟକଣା ରହିଛି । ବହୁ ବିଦ୍ୟାଳୟରେ କେବଳ ବିଧି ରକ୍ଷା କରି ପୂଜା ପାଳନ କରାଯାଉଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ କେବଳ ଫଟୋ ପୂଜାରେ ବିଧି ରଖି‌ବେ ବୋଲି ଜଣାପଡ଼ିଛି । କୌଣସି ଛାତ୍ରଛାତ୍ରୀ ଏଥିରେ ସାମିଲ୍ ହୋଇପାରିବେ ନାହିଁ । ତେଣୁ ଛାତ୍ରଛାତ୍ରୀମାନଙ୍କ ମନରେ ପ୍ରଚଣ୍ଡ ଦୁଃଖ ସୃଷ୍ଟି ହୋଇଛି । ତେବେ ପିଲାମାନେ ବି କିଛି କମ୍ ନୁହଁନ୍ତି ।

ବହୁ ପିଲା ନିଆରା ଢ଼ଙ୍ଗରେ ଗଣେଶଙ୍କୁ ପୂଜା କରିବାକୁ ଯାଉଛନ୍ତି। ବିଦ୍ୟାଳୟରେ ନହେଲେ ବି ସେମାନେ ଘରେ ପୂଜା କରିବେ । ତେଣୁ ବଜାରରୁ ସେମାନେ ବହୁ କୁନିକୁନି ଗଣେଶ ମୂର୍ତ୍ତି କିଣିଛନ୍ତି । କିଏ ମାଟି ମୂର୍ତ୍ତି କିଣିଛି ତ କିଏ ସହିତ ପ୍ଲାଷ୍ଟର ଅଫ୍ ପାରିସ୍‌ ମୂର୍ତ୍ତି କିଣିଛି । ବଡ଼ କଥା ହେଉଛି ପିଲାମାନେ ବିନା ପୂଜକ ରେ ପୂଜା କରିବେ । ପୂଜକ ଭାଇନା ମିଳିବା ଓ ଦକ୍ଷିଣା ସମସ୍ୟା ପାଇଁ ସେମାନେ ନିଜେ ମନ୍ତ୍ରପାଠ କରିବାକୁ ‌ଯୋଜନା କରିଛନ୍ତି। ତେଣୁ ପୂଜା ବିଧି ବହି କିଣିଛନ୍ତି। ନିଜେ ନିଜେ ମୂର୍ତ୍ତି ସମ୍ମୁଖରେ ବହିରୁ ମନ୍ତ୍ର ପଢ଼ି ସେମାନେ ଗଣେଶଙ୍କୁ ଆବାହନ କରିବେ ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ନିଆରା ଗଣେଷ ପୂଜା । ଗଛକୁ ଗଜାନନ ରୂପ ଦେଇଛନ୍ତି ବକୁଳ ପାଠାଗାରର ସଦସ୍ୟମାନେ । ପୂଜା ସମୟରେ କୌଣସି ଜିନିଷ ନଷ୍ଟ ନହେବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଗଛକୁ ପୂଜା କରିବା ବେଳେ ଦୁଇଟି ବାର୍ତା ଦେଉଛନ୍ତି ବକୁଳ ପାଠାଗାର । ପ୍ରଥମତଃ କମ ଖର୍ଚ୍ଚରେ ଗଣେଷ ପୂଜା ଓ ପୂଜା ମାଧ୍ୟମରେ କିପରି ପରିବେଶ ସୁରକ୍ଷା କରାଯାଇ ପାରିବ ସେ ବାର୍ତା ଦିଆଯାଇଛି । କରୋନା ମହାମାରୀ ସହ ଲଢେଇ କରୁଛନ୍ତି ବିଘ୍ନବିନାଶକ । ମହାମାରୀ ଯୋଗୁଁ ଆଗଭଳି ଜାକଜମକରେ ପୂଜା ହେଉନାହିଁ । କିନ୍ତୁ ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ କଟକରେ ଗଣେଷ ପୂଜା ଚାଲିଛି ।