ପୁରୀ ଜିଲ୍ଲା ବାଲିକନ୍ଦଳ ଦଳିତ ସାହିରେ ଅପପୁଷ୍ଟି ରୋଗର ଶିକାର ହେଉଛନ୍ତି ଶିଶୁ । ଏବେ ବି ପଡିନି ପ୍ରଶାସନର ନଜର । 

41

କନକ ବ୍ୟୁରୋ: ଓଡିଶାର ଆଉ ଏକ ନଗଡା । ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ଲୋକେ । ବଣ ଜଙ୍ଗଲ ଘେରା ପାହାଡି ଅଂଚଳ କି ଆଦିବାସୀ ଅଧୁଷିତ ଜିଲ୍ଲା କଥା ଆମେ କହୁନାହୁଁ, ଆମେ କହୁଛୁ ଉପକୂଳ ଓଡିଶାର କଥା । ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୪୫ କିଲୋମିଟର ଦୂରରେ ଥିବା ପୁରୀ ଜିଲ୍ଲା ବାଲିକନ୍ଦଳ ଦଳିତ ସାହିର କଥା ।

ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା ଯାଜପୁର ଜିଲ୍ଲାର ନଗଡା । ହେଲେ ଏବେ ପୁରୀ ଜିଲ୍ଲା ଗୋପ ବ୍ଲକ ବାଲିକନ୍ଦଳ ଦଳିତ ସାହିରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ୪୦ ପରିବାର ରହୁଥିବା ଏହି ଅଂଚଳ ଆଉ ଏକ ନଗଡା । ରାସ୍ତା ନାହିଁ, ପିଇବା ପାଣିର ସୁବିଧା ନଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ କଥା ନକହିବା ଭଲ । ଏଠାରେ ରହୁଥିବା ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହେଉଥିଲେ ବି ପ୍ରଶାସନର ନଜର ନଥିବା ଅଭିଯୋଗ ହୋଇଛି ।

୧୦୮ ଆମ୍ବୁଲାନ୍ସ ଦେଖି ନଥିବା ଏହି ଗାଁର ଶତକଡା ୯୦ ଭାଗ ଲୋକ ସ୍କୁଲ ଦେଖି ନାହାନ୍ତି । ଗ୍ରାମାଂଚଳର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜାନା କରି ବାହା ବାହା ନେଉଥିବା ବେଳେ ବିକାଶ ଠାରୁ ବହୁ ଦୂରରେ ଗୋପ ବ୍ଲକର ବାଲିକନ୍ଦଳ ଦଳିତ ସାହି । ଗୋପ ବ୍ଲକରୁ ଦୁଇ ଦୁଇ ଜଣ ମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ବେଳେ ଅବହେଳିତ ବାଲିକନ୍ଦଳ ଦଳିତ ସାହିକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ । କ’ଣ ମନ୍ତ୍ରୀମାନଙ୍କ ନଜରକୁ ଆସିନାହିଁ ଏହି ଅଂଚଳ? କ’ଣ ଭୋଟ ଦେଇ ଜନ ପ୍ରତିନିଧି ବାଛି ନାହାନ୍ତି ଏଠାକାର ଜନତା? ନା ସବୁ ଦେଖି ଆଖି ବୁଝି ଦେଇଛି ପ୍ରଶାସନ?