କନକ ବ୍ୟୁରୋ : ରଙ୍ଗ ତୂଳୀରେ ଗଛ ବଞ୍ଚାଇବାର ପ୍ରୟାସ । ଗଛ ଆମର ଜୀବନ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା । ଏମଏଲଏ କଲୋନୀ ଗଛ କଟାକୁ ଅଭିନବ ଉପାୟରେ ବିରୋଧ କରାଯାଇଛି । ଗଛ କଟାଯାଇଥିବା ଯାଗାରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଏହି ଚିତ୍ରାଙ୍କନରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କ ପାଇଁ ସାର୍ଟିଫିକେଟ୍ ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ରହିଛି । ଛୋଟ ଛୋଟ ପିଲାମାନେ ଏହି ପ୍ରତିଯୋଗିତାରେ ସାମିଲ ହୋଇ ଚିତ୍ରାଙ୍କନ କରୁଥିବାର ଦେଖିବାକୁ ମିଳିଛି ।

Advertisment

publive-image

ସେପଟେ, ଗଛକଟାକୁ ବିରୋଧରେ ପ୍ରେରଣା ଇଣ୍ଟରନ୍ୟାସନାଲ୍‌ ଗ୍ରିନ୍‌ ଆର୍ମି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଚାରିଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ, ବିଧାୟକ କଲୋନିରୁ ଆଉ ଗଛ ନକାଟିବା, ଯେଉଁ ଗଛ କଟାଯାଇଛି ତା’ର ଭରଣା ପାଇଁ ଭୁବନେଶ୍ବର ସହର ଓ ଉପକଣ୍ଠରେ ୧୦୦ଗୁଣ ବୃକ୍ଷରୋପଣ କରି ଉଦ୍ୟାନ ସୃଷ୍ଟି କରିବା, ଭୁବନେଶ୍ବର ଚାରିପାଖରେ ୫୦ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୃକ୍ଷରାଜିପୂର୍ଣ୍ଣ ଏକ ସବୁଜବଳୟ ସୃଷ୍ଟି, ଦିଲ୍ଲୀ ପରି ଟ୍ରି ଆଇନ୍‌ ପ୍ରଣୟନ କରିବାକୁ ଦାବି କରାଯାଇଛି । ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।