ଖୋଲା ଆକାଶ ତଳେ ଭବିଷ୍ୟତ ଗଢ଼ୁଛନ୍ତି କୋମଳମତୀ ଛାତ୍ରଛାତ୍ରୀ । ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା ।

68

କନକ ବ୍ୟୁରୋ: ଖୋଲା ଆକାଶ ତଳେ ଭବିଷ୍ୟତ ଗଢ଼ୁଛନ୍ତି କୋମଳମତୀ ଛାତ୍ରଛାତ୍ରୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏମିତି ଅଭାବନୀୟ ଖବର । ବିଦ୍ୟାଳୟରେ ୫ଟି ଶ୍ରେଣୀ ଅଧ୍ୟୟନ କରନ୍ତି ୧୨୭ ଜଣ ଛାତ୍ରଛାତ୍ରୀ । ତେବେ ଶ୍ରେଣୀଗୃହ ଭାଙ୍ଗିଯିବାରୁ ପିଲାମାନେ ସ୍କୁଲ ଅଫିସ୍ ବାରଣ୍ଡା ଆଗରେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି । ବଡ଼ କଥା ହେଉଛି ସେହି ବାରଣ୍ଡା ଉପରେ ମଧ୍ୟ ଛପର ନାହିଁ, ଯେଉଁ କାରଣରୁ ପିଲାମାନେ ଖରାରେ ପାଠ ପଢ଼ୁଛନ୍ତି ।

ନୂତନ କ୍ଲାସ ରୁମ୍ ନିର୍ମାଣ ପାଇଁ ଶିକ୍ଷକ ଓ ଅଭିଭାବକ ନିବେଦନ କରିଥିଲେ । ତିନିମାସ ତଳେ ରାଜ୍ୟ ଅର୍ଥ କମିଶନ ଯୋଜନାରେ କ୍ଲାସରୁମ୍ ମରାମତି ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା । ସ୍କୁଲ କମିଟି, ଶିକ୍ଷକ ଓ ଜେଇଙ୍କ ସହଯୋଗରେ ଜଣେ ଠିକାଦାର ସ୍କୁଲର ଆଜବେଷ୍ଟସ୍ ମରାମତି କାମ ଆରମ୍ଭ କରିଥିଲେ । କିନ୍ତୁ ଗ୍ରାମବାସୀ ମରାମତି ବଦଳରେ ନୂଆ କ୍ଲାସ ରୁମ୍ ପାଇଁ ଦାବି କରିଥିଲେ । ଯେଉଁ କାରଣରୁ ମରାମତି କାମ ବନ୍ଦ କରାଯାଇଥିଲା । ଫଳରେ ପିଲାମାନେ ଭଙ୍ଗା ଶ୍ରେଣୀଗୃହ ବାରଣ୍ଡାରେ ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି, ଯଦି ସ୍କୁଲ ଘର ମରାମତି ପାଇଁ ନିଷ୍ପତି ନିଆଗଲା, ତେବେ କାହିଁକି ପିଲାଙ୍କ ପାଇଁ ଆଗୁଆ ବ୍ୟବସ୍ଥା କରାଗଲା । ପିଲାମାନେ ଏତେଦିନ ଧରି କାହିଁକି ସ୍କୁଲ ବାରଣ୍ଡା ଆଗରେ ବସି ପାଠ ପଢ଼ୁଛନ୍ତି । ଗୋଟିଏ ପଟେ ୫-ଟି ଜରିଆରେ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ସୁବିଧା ଯୋଗାଇ ଆସୁଥିବା ବେଳେ କିଛି ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ପିଲାମାନେ ୧୦ରୁ ଅଧିକ ଦିନ ଧରି ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି ।