କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାୟର ନୂଆ ଗାଇଡ ଲାଇନ । ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଦିଆଯିବ ନାହିଁ ରେମଡେସିଭିର ଇଂଜେକ୍ସନ । ୫ ବର୍ଷରୁ କମ୍ ପିଲାଙ୍କୁ ମାସ୍କ ଲଗାଇବାକୁ ବାରଣ

1,092

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ଡିଜିଏଚଏସ କରୋନା ସଂକ୍ରମିତ ଚିକିତ୍ସା ଓ ସାବଧାନତାରେ ପିଲାଙ୍କ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନରେ କରୋନା ସଂକ୍ରମଣରେ ଶିକାର ହୋଇଥିବା ୧୮ ବର୍ଷ ବୟସ ତଳକୁ ପିଲାମାନଙ୍କୁ ରେମଡେସିଭିର ଇଂଜେକ୍ସନ ଲଗାଇବାକୁ ବାରଣ କରାଯାଇଥିବା ବେଳେ ୫ ବର୍ଷ ବୟସ ତଳକୁ ପିଲାମାନଙ୍କୁ ମାସ୍କ ନ ପିନ୍ଧାଇବାକୁ ବାରଣ କରାଯାଇଛି ।

ଗାଇଡ ଲାଇନରେ କୁହାଯାଇଛି କି ୫ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ । ୬ ରୁ ୧୧ ବର୍ଷ ବୟସର ପିଲା ଅବିଭାବକ ମାନଙ୍କ ତତ୍ୱାବଧାନରେ ମାସ୍କ ପିନ୍ଧି ପାରିବେ । ୧୨ ବର୍ଷରୁ ଅଧିକ ବୟସ୍କ ପିଲା ବଡ ଲୋକମାନଙ୍କ ଭଳି ମାସ୍କ ବ୍ୟବହାର କରିପାରିବେ ।

ଏହାସହ ଛୋଟ ପିଲାମାନଙ୍କ କରୋନା ଚିକିତ୍ସା ବେଳେ ଷ୍ଟେରଏଡ ବା ଶକ୍ତି ବର୍ଦ୍ଧକ ଔଷଧ ବ୍ୟବହାର ନକରିବାକୁ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି । ଯଦି ପିଲାର ସ୍ଥିତି ଗୁରୁତର ରହିଛି ତେବେ ମେଡିକାଲରେ ଡାକ୍ତରଙ୍କ ପରାମର୍ଶରେ ଷ୍ଟେରଏଡ ବ୍ୟବହାର କରାଯାଇ ପାରିବ ।

ସ୍ୱାସ୍ଥ୍ୟ ବିଭାଗର ଗାଇଡ ଲାଇନ ମୁତାବକ ଛୋଟ ପିଲାଙ୍କର ଏଚଆରସିଟି ସ୍କାନ ଡାକ୍ତରଙ୍କ କହିବା ପରେ ଅତି ଆବଶ୍ୟକ ଥିଲେ କରନ୍ତୁ । ବାରମ୍ବାର ଏଚଆରସିଟି ଟେଷ୍ଟ କରିବା ରୋଗୀ ପାଇଁ ବିପଦ ହୋଇପାରେ ! ଲକ୍ଷଣହୀନ ଓ ମୃଦୁ ସଂକ୍ରମଣ ଥିବା ଲୋକଙ୍କ ଠାରେ ଏଚଆସିଟି ଟେଷ୍ଟ କରିବାକୁ ବାରଣ କରିଛି ବିଭାଗ । ଯଦି ଚିକିତ୍ସା ପରେ ରୋଗୀର ସ୍ଥିତି ବିଗୁଡିଛି ତେବେ ଏଚଆରସିଟି ଟେଷ୍ଟ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ