୫ରୁ ୧୨ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ ଟିକା: ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ

124

କନକ ବ୍ୟୁରୋ: କରୋନା ସଂକ୍ରମଣର ଚତୁର୍ଥ ଲହର ନେଇ ଆଶଙ୍କା ବଢୁଥିବା ବେଳେ ଟିକାକରଣକୁ ନେଇ ବଡ ଖବର ଆସିଛି । ଏଣିକି ୧୨ବର୍ଷରୁ କମ ବୟସର ପିଲାଙ୍କୁ କୋଭିଡ ଟିକା ଦିଆଯିବ । ୫ରୁ ୧୨ବର୍ଷ ପିଲାଙ୍କୁ କୋର୍ବେଭାକ୍ସ, ୬ରୁ ୧୨ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଦେଶରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ଏହି ଖବର ସାମାନ୍ୟ ଆଶ୍ୱସ୍ତି ଆଣିଛି । ଏହାସହ ୧୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ଜାଇକୋଭ-ଡି ଦେବାକୁ ନିଷ୍ପତି ନିଆଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପିଲାମାନଙ୍କ ପାଇଁ ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡିସିଜିଆଇ ଅନୁମତି ପ୍ରଦାନ କରିଛି । ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଟିକାକୁ ଅନୁମତି ଦେଇଛି ଡିସିଜିଆଇ । ଦେଶରେ କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଏଭଳି ନିଷ୍ପତିି ନିଆଯାଇଛି ।

ଦେଶରେ ସ୍କୁଲ, କଲେଜ ଖୋଲି ଯାଇଥିବାରୁ ପିଲାଙ୍କୁ ଟିକା ପ୍ରଦାନ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିସହ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟିକାକୁ ୬ରୁ ୧୨ ବର୍ଷ ବୟସର ପିଲାଙ୍କୁ ଦେବାକୁ ଅନୁମତି ମିଳିଛି ।

ପୂର୍ବରୁ ୫ରୁ ୧୨ବର୍ଷର ପିଲାଙ୍କ ପାଇଁ ବାୟୋଲଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କର୍ବୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ବିଶେଷଜ୍ଞ କମିଟିକୁ ସୁପାରିଶ କରିଥିଲା । ସେହିପରି ୨ରୁ ୧୨ବର୍ଷ ପିଲାଙ୍କ ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବାକୁ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିଥିଲା । ଏବେ ଡିସିଜିଆଇ ଏହି ଟିକାର ବ୍ୟବହାରକୁ ଅନୁମତି ଦେଇଛି । ତେବେ ଏହି ଟିକା ବର୍ତମାନ କେବଳ ୬ରୁ ୧୨ବର୍ଷ ପିଲାଙ୍କୁ ହିଁ ଦିଆଯିବ ।

ଆଜି ୨ ହଜାର ୪ ଶହ ୮୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବା ବେଳେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଟ୍ ସମୀକ୍ଷା କରିବେ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସମସ୍ୟା ସମାଧାନ ଦିଗରେ ପ୍ରଧାନମନ୍ତ୍ରୀ ଆଲୋନଚା କରିବେ ।