କାନାଡ଼ା ପରେ ଆମେରିକାର ବଡ଼ ନିଷ୍ପତି । ୧୨ରୁ ୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର ଟିକା ।

121

କନକ ବ୍ୟୁରୋ: ଏଣିକି ୧୨ ରୁ ୧୫ବର୍ଷ ବୟସର ପିଲାଙ୍କୁ ଦିଆଯିବ କରୋନା ଟିକା । ଆମେରିକାରେ ୧୨-୧୫ବର୍ଷ ପିଲାଙ୍କୁ ଫାଇଜର ଟିକା ଦେବା ପାଇଁ ଏଫଡିଏ ଅନୁମତି ଦେଇଛି। କାନାଡା ପରେ ଦ୍ଵିତୀୟ ଦେଶ ଭାବେ ଆମେରିକାରେ ଏହି ବର୍ଗର ପିଲାଙ୍କୁ ଦିଆଯିବ ଟିକା।

କରୋନା ମହମାରୀ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ସବୁ ବୟସରୁ ଲୋକଙ୍କୁ ସଂକ୍ରମିତ କରୁଛି ଭୁତାଣୁ। ଛୋଟ ପିଲାମାନେ ମଧ୍ୟ ଭୂତାଣୁର ଶିକାର ହେଉଛନ୍ତି। ଏପରି ସମୟରେ ୧୨ରୁ ୧୫ବର୍ଷ ପିଲାଙ୍କ ପାଇଁ ଫାଇଜର ବାୟୋଏନଟେକ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବା ଏଫଡିଏ। ଫେଡେରାଲ ଟିକା ପରାମର୍ଶ ଦାତା କମିଟି ସୁପାରିଶ କରିବା ମାତ୍ରେ ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ୧୨ରୁ ୧୫ବର୍ଷ ପିଲାଙ୍କୁ ପ୍ରିମିୟମ ଓ ବୁଷ୍ଟର ଦୁଇଟି ଡୋଜ ଦିଆଯିବ। ବୁଧବାର ଦିନ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ଗୁରୁବାର ଠାରୁ ଆରମ୍ଭ ହୋଇପାରେ ଟୀକାକରଣ।

ବିଶ୍ଵବ୍ୟାପୀ ଚାଲୁଥିବା ଅଧିକାଂଶ କୋଭିଡ୧୯ ଟୀକାକରଣ ବୟସ୍କମାନଙ୍କ ପାଇଁ ଅନୁମତି ପ୍ରାପ୍ତ। ଏପରି ସମୟରେ ପୁଣି ଥରେ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ ସବୁ ବୟସର ପିଲାଙ୍କ ଟୀକାକରଣ ବେଶ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆମେରିକା ୧୨ବର୍ଷ ବୟସର ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ କରିବାକୁ ଯାଉଛି।

୧୬ବର୍ଷରୁ କମ ବୟସର କିଶୋର ମାନଙ୍କ ପାଇଁ ଏକାଧିକ ଦେଶରେ ଫାଇଜର ଟିକା ବ୍ୟବହାର କରାଯାଉଛି। ଏବଂ ନିକଟରେ କାନାଡା ପ୍ରଥମ କରି ୧୨ରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବା ଆରମ୍ଭ କରିଛି। ଏବେ ଆମେରିକା ମଧ୍ୟ ୧୨ରୁ ୧୫ବର୍ଷ ପିଲାଙ୍କୁ ଟିକା ଦେବାକୁ ଯାଉଛି। ଏଫଡିଏର ଅନୁମତି ପରେ ଅଭିଭାବକ, ବିଦ୍ୟାଳୟର ପ୍ରଶାସକ ଏବଂ ଜନସ୍ୱାସ୍ଥ୍ୟର ଅଧିକାରୀ ମାନେ ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହେବା ନେଇ ଅପେକ୍ଷା କରିଛନ୍ତି। କାରଣ ଏହି ବର୍ଗର ପିଲାଙ୍କୁ ଟୀକାକରଣ କରାଗଲେ ସେମାନେ ପାଠପଢ଼ା ପାଇଁ ପୁଣି ଥରେ ସ୍କୁଲକୁ ଫେରିପାରିବେ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ୧୨ରୁ ୧୫ ବର୍ଷ ପିଲାଙ୍କ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ଏଥିପାଇଁ ପର୍ୟ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ରଖିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।