କରୋନା ଯୋଗୁଁ ପିଲାଙ୍କ ଉପରେ ପଡୁଛି ପ୍ରଭାବ । ୧୫ ମାସ ହେଲାଣି ବନ୍ଦ ରହିଛି ସ୍କୁଲ, ଘରୁ ବାହାରି ପାରୁନାହାନ୍ତି ପିଲା, ଦେଖିବାକୁ ମିଳୁଛି ଚିଡ଼ିଚିଡା ସ୍ୱଭାବ । 

201

କନକ ବ୍ୟୁରୋ : ପିଲାଙ୍କ ଉପରେ ପଡୁଛି କରୋନାର ପ୍ରଭାବ । ପ୍ରାୟ ୧୫ ମାସ ହେଲା ପିଲା ସ୍କୁଲ ଯାଉନାହାନ୍ତି । ଆଉ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି । ବାହାରକୁ ଗଲେ ଭୂତାଣୁର ସଂକ୍ରମଣ ଭୟ ଥିବାରୁ ଘରେ ରହୁଛନ୍ତି ପିଲା । ଆଉ ଏଭଳି ସ୍ଥିତିରେ ଘରେ ଅଧିକାଂଶ ସମୟ ଟିଭି ଓ ମୋବାଇଲରେ ବିତୁଥିବାରୁ ସେମାନଙ୍କ ଠାରେ ଚିଡଚିଡା ସ୍ୱଭାବ ଦେଖିବାକୁ ମିଳୁଛି ।

କରୋନା ଯୋଗୁଁ ସ୍କୁଲ ବନ୍ଦ । ବାହାରକୁ ଯାଉନାହାନ୍ତି ପିଲା, ମାନସିକ ସ୍ଥିତି ଉପରେ ପଡ଼ୁଛି ପ୍ରଭାବ । ମହାମାରୀ ଯୋଗୁଁ ପ୍ରାୟ ୧୫ ମାସ ହେଲା ବନ୍ଦ ରହିଛି ସ୍କୁଲ । ପିଲାମାନେ ଘର ଭିତରେ ଦିନ କାଟୁଛନ୍ତି । ନା ସାଙ୍ଗସାଥୀ ସହ ଭେଟ ହେଉଛି ନା ଖେଳପଡିଆକୁ ଯାଇ ଖେଳିପାରୁଛନ୍ତି ପିଲା । କରୋନା ସେମାନଙ୍କ ଜୀବନକୁ ପୂରା ବଦଳାଇ ଦେଇଛି । ମୋବାଇଲ ଫୋନ ଓ ଟିଭି ଦେଖିବାରେ ଅଧିକ ସମୟ ବିତୁଛି । ପିଲା ଶୈଶବ ନଷ୍ଟ ହୋଇ ଯାଉଥିବା ବେଳେ ଚିଡ଼ା ଚିଡ଼ା ସ୍ୱଭାବ ବଢ଼ୁଥିବା ଦେଖିବାକୁ ମିଳୁଛି ।

ଏପଟେ ଅନଲାଇନ୍ ପାଠପଢ଼ା ପିଲାମାନଙ୍କ ମନରେ ଖୁସି ଭରି ଦେଉନି । ନା ପାଠ ଭଲ ଭାବେ ବୁଝି ହେଉଛି, ନା ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହେଉଛି । ପୂର୍ବରୁ ସ୍କୁଲ ଛୁଟି ହେବା କଥା ଶୁଣିଲେ ପିଲା ଖୁସି ହୋଇ ଯାଉଥିଲେ, ଏବେ ସବୁ ପିଲାଙ୍କ ମନରେ ପ୍ରଶ୍ନ କେବେ ଖୋଲିବ ସ୍କୁଲ । ପୁଣି ଥରେ ସ୍କୁଲ ଯାଇ ସେମାନେ ପାଠ ପଢ଼ିବେ । ଶିକ୍ଷକଙ୍କ ପାଠପଢ଼ା, ସାଙ୍ଗସାଥୀଙ୍କ ସହ କାଟିଥିବା ସମୟକୁ ଝୁରି ହେଉଛନ୍ତି ପିଲା ।

ଉପାନ୍ତ ଅଂଚଳରେ ସ୍ଥିତି ଆହୁରି ଦୟନୀୟ । ଅନଲାଇନରେ କ୍ଲାସ କରିବା ପାଇଁ ବି ମୋବାଇଲ ନାହିଁ, ମୋବାଇଲ ଥିଲେ ନେଟୱର୍କ ଆସୁନି । ଏଭଳି ସ୍ଥିତିରେ ଘରେ ରହି ପାଠ ପଢ଼ିବାକୁ ଚାହୁଁନାହାନ୍ତି ଛାତ୍ରଛାତ୍ରୀ । କେବେ ସ୍ଥିତି ସ୍ୱାଭାବିକ ହେବ, କେବେ ପୁଣି ଥରେ ସ୍କୁଲ ଖୋଲିବ, କେବେ ସାଙ୍ଗସାଥୀଙ୍କ ସହ ସମୟ କାଟିବେ ପିଲା, ଏହି ଚିନ୍ତା ସମସ୍ତଙ୍କୁ ଘାରିଛି । ସବୁଠୁ ବଡ଼ କଥା ହେଉଛି, ଏହି ପ୍ରଶ୍ନର ଉତର ଏବେ କାହା ପାଖରେ ନାହିଁ ।