କେବେ ଦୂର ହେବ ଦୁଃଖ? ପାହାଡ ଛାତିରେ ପିଟି ହେଉଛି କୁନି ପିଲାଙ୍କ ଶୈଶବ…ପେଟ ପାଇଁ ପାଠ ଛାଡି କଅଁଳ କାନ୍ଧରେ ବୋହୁଛନ୍ତି ପଥର

520

କନକ ବ୍ୟୁରୋ: କଅଁଳ କାନ୍ଧରେ ପରିବାରର ବୋଝ । ପେଟ ପାଇଁ ବାଜିରେ ଲାଗିଛି ଶୈଶବ । କେତେବେଳେ ପଥର ବୋହି ତ ପୁଣି କେତେବେଳେ ଗାଇ ଚରାଇ କଅଁଳ ବୟସରେ ପାଳୁଛନ୍ତି ପରିବାରର ପେଟ । ଏଭଳି ଅଭାବନୀୟ ଘଟଣା ଦେଖଇବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ମଙ୍ଗରଦୋରା ଗାଁରେ । ପରିବାର ପୋଷିବା ପାଇଁ ପାହାଡର କର୍କଶ ଛାତିରେ ପିଟି ହେଉଛି ଦୁଇ ନାବାଳକଙ୍କ ଶୈଶବ । ରାତି ପାହିଲେ ଘାରୁଛି ପେଟପାଟଣାର ଚିନ୍ତା ତେଣୁ ପାଠ ଛାଡି ଫଟାଉଛନ୍ତି ପଥର । ନରମ କାନ୍ଧରେ ତଳକୁ ବୋହୁଛନ୍ତି ଆଉ ଦିନ ତମାମ ପରିଶ୍ରମ ପରେ ଯାହା ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେଥିରେ ସେମାନେ ପୂରା ପରିବାରଟାକୁ ସମ୍ଭାଳୁଛନ୍ତି ।

କୁମର ଗୌଡ ଏବଂ ମକର ଗୌଡ । ବୟସ ପାଖାପାଖି ୧୦ କିମ୍ବା ୧୨ ବର୍ଷ ହେବ । ଗାଁ ସ୍କୁଲରେ ବି ଏମାନଙ୍କର ନାଁ ଲେଖାଯାଇଛି । ହେଲେ ପାଠ ପଢିବାକୁ ଏମାନଙ୍କ ନିକଟରେ ସମୟ ଜମା ନାହିଁ । କାହିଁକି ନା ଦିନେ ଯଦି ଏମାନେ ପଥର ନଭାଙ୍ଗିବେ ତେବେ ସେ ଦିନ ସେମାନଙ୍କୁ ଆଉ ସେମାନଙ୍କ ପରିବାର ଲୋକଙ୍କୁ ପାଣି ପିଇ ଭୋକିଲା ପେଟକୁ ବୁଝାଇବାକୁ ପଡିବ । ତେଣୁ ପାଠପଢିବାକୁ ଯେତେ ଇଚ୍ଛା ଥିଲେ ବି ମନ ଭିତରେ ସବୁ ଇଚ୍ଛାକୁ ମାରି ହାତରେ ଗୋଟେ ଅଖା ଆଉ ଖଣ୍ଡେ ବାଉଁଶ ଧରି ଟଙ୍କା ରୋଜଗାର କରିବାକୁ ବାହାରି ପଡୁଛନ୍ତି ।

ଅନ୍ୟ ପକ୍ଷରେ କେବଳ ମଙ୍ଗରଦୋରା ଗାଁର କୁମର କି ମକର ନୁହଁନ୍ତି ଏମାନଙ୍କ ଭଳି ଅନେକ ଛୋଟ ପିଲାଙ୍କ ଶୈଶବ ଏଭଳି ପଥର ଫଟାଇବାରେ ନହେଲେ ଗୋରୁ ଚରାଇବାରେ ବିତୁଛୁ । ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସାମିଲ ହୋଇ ମଧ୍ୟହ୍ନ ଭୋଜନ ଖାଇବା, ହଷ୍ଟେଲରେ ରହି ପାଠ ପଢିବା ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଉଛି । ସରକାରଙ୍କ ପୁଳା ପୁଳା ଯୋଜନା ଯୋଜନାରେ ହିଁ ସୀମିତ ହୋଇ ରହିଯାଉଛି । ହେଲେ ସମସ୍ୟାରେ କୌଣସି ବି ସୁଧାର ଆସିପାରୁନି । ଆଉ କଅଁଳ ବୟସରେ କଠିନ ପରିଶ୍ରମ କରିବାକୁ ବାଧ୍ୟ ହେଉଛନ୍ତି ଏମାନଙ୍କ ଭଳି ଅନେକ ଗରିବ ପିଲା ।