କନକ ବ୍ୟୁରୋ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ପିଲାମାନଙ୍କ ଉପରେ ଏତେଟା ପ୍ରଭାବ ପଡନିଥିବାବେଳେ ତୃତୀୟ ଲହର କିନ୍ତୁ ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଥିବା ଲକ୍ଷ୍ୟ କରାଯାଉଛି । ପ୍ରତ୍ୟେକ ଦିନ ପିଲାମାନଙ୍କର ଆଖି ଦୃଶିଆ ସଂକ୍ରମଣ ମାମଲା ସାମନାକୁ ଆସୁଛି । ବିଶେଷ କରି ଦିଲ୍ଲୀ ଏନସିଆରରେ ପିଲାମାନଙ୍କ ଉପରେ କରୋନାର ପ୍ରଭାବ ପଡୁଥିବା ଖବର ଆସୁଛି ।
ଦେଶରେ କରୋନାର ତୃତୀୟ ଲହର ଏବେ ନିୟନ୍ତ୍ରଣ ବାହାରେ । କରୋନା ସହ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଦେଶରେ ମାମଲା ଦ୍ରୁତ ଗତିରେ ବଢିଚାଲିଛି । ମାତ୍ର ୯ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୩ ଗୁଣ ବଢିଯାଇଛି । ଏଯାଏଁ ମିଳିଥିବା ସୂଚନା ମୁତାବକ, ଗତ ୭ ଦିନ ମଧ୍ୟରେ ଦେଶରେ ପାଖାପାଖି ୬,୨୪୭ ଜଣ ଶିଶୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବିଶେଷ କରି ସାଇବର ସିଟିରେ ଏମାଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି ।