କନକ ବ୍ୟୁରୋ: ପରିବା ଦର ଏବେ ଆକାଶ ଛୁଆଁ । ଶହେ ଟଙ୍କା ତଳକୁ ପରିବା ମିଳିବା ପ୍ରାୟ ଅସମ୍ଭବ ହୋଇପଡ଼ିଲାଣି । ଏପରିକି ଅନେକ ପରିବା ଦର ଦୁଇ ଶହ ଟଙ୍କା ଉପରେ ମଧ୍ୟ ବିକ୍ରି ହେଉଛି । ସପ୍ତାହେ ହେବ ପରିବା ଦର ଉପରମୁହାଁ ହୋଇଛି । ଦର ବଢୁଥିବାରୁ ଲୋକେ ବଜାରରୁ କମ୍ ପରିବା କିଣୁଛନ୍ତି । ଗୋଟିଏ କିଲୋ ପରିବା କିଣିବା ଜାଗାରେ ଅଢେଇ ଶହ ଓ ଅଧ କିଲୋରେ ଚଳାଇ ନେଉଛନ୍ତି । ଖାଇବା ଥାଳିରେ ଏବେ ଆଉ ପରିବା ତରକାରୀ ଦେଖିବାକୁ ମିଳୁନାହିଁ । ବିନା ପରିବାର ତରକାରୀରେ ଚଳାଇ ନେଉଛନ୍ତି ଲୋକେ । ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ପରିବା ଗାଏବ ହୋଇଯାଇଛି । ଡାଲମାରେ ପରିବା ବଦଳରେ କେବଳ ଆଳୁ ଆଉ ଅମୃତଭଣ୍ଡା ପଡୁଛି ।

Advertisment
  • ରୋଷେଇ ଘରୁ ପରିବା ଉଭାନ
  • ପିଲା ଖାଉଛନ୍ତି ଆଳୁ-କଖାରୁ ଡାଲମା

ଖୋର୍ଦ୍ଧ ଜିଲ୍ଳାର ବିଭିନ୍ନ ସ୍କୁଲରେ ସିଧାସଳଖ ପରିବା ଦର ବୃଦ୍ଧିର ପ୍ରଭାବ ପଡିଛି । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆ ଯାଉଥିବା ଡ଼ାଲମାରେ ପନିପରିବା ପଡୁନାହିଁ । କେବଳ ଆଳୁ ଓ କଖାରୁ ପକାଇ ଡାଲମା କରିବାକୁ ବାଧ୍ୟ ହେଉଛନ୍ତି, ମଧ୍ୟାହ୍ନ ଯୋଜନା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଯେତେ ଟଙ୍କା ଦିଆଯାଉଛି, ସେଥିରେ ମହଙ୍ଗା ପରିବା କିଣି ଡାଲମା କରିବା ସମ୍ଭବ ହେଉନଥିବା ସେମାନେ କହିଛନ୍ତି । ଶହେ ଟଙ୍କା ଉପରେ ଥିବା ପୋଟଳ, କାଙ୍କଡ଼ ଏବଂ ଟମୋଟା ଭଳି ପରିବା ନପକାଇ ଡାଲମା କରାଯାଉଛି ।

  • ଅସ୍ତରଙ୍ଗରେ ଆଳୁ-ଅମୃତଭଣ୍ଡା ଡାଲମା
  • ପାଣିଆ ଡାଲମା ଖାଇବାକୁ ନାରାଜ ପିଲା

କେବଳ ଖୋଦ୍ଧା ଜିଲ୍ଲା ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ ସ୍କୁଲରେ ମଧ୍ୟ ମଧ୍ୟାହ୍ନ ଭୋଜନ ରୋଷେଇରେ ପରିବା ଦରର ପ୍ରଭାବ ପଡିଛି । ବଜାର ଦରରେ ନିଆଁ ଲାଗିଥିବା ବେଳେ ପରିବାରେ ହାତ ମାରି ହେଉନାହିଁ । ତେଣୁ ଆଳୁ, ଅମୃତଭଣ୍ଡା, କଖାରୁ ଓ ଅଳ୍ପ କିଛି ଡାଲି ପକାଇ ଡାଲମା କରାଯାଉଛି । ଯାହାକୁ ଖାଇବାକୁ ନାକ ଟେକୁଛନ୍ତି ଛାତ୍ରଛାତ୍ରୀ । ପାଣିଆ ଡାଲମା ବାବଦରେ ପଚାରିଲେ ଶିକ୍ଷକ କହୁଛନ୍ତି, ମଧ୍ୟାହ୍ନ ଭୋଜନ ପାଇଁ ସରକାର ଦେଉଥିବା ଅନୁଦାନ ନିଅଣ୍ଟ ପଡୁଛି ।

ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ସରକାର ମୁଣ୍ଡ ପିଛା ଅର୍ଥ ମଧ୍ୟ ଦେଉଛନ୍ତି । ହେଲେ ମହଙ୍ଗା ବଜାରରେ ସରକାରୀ ଅନୁଦାନ କମ୍ ପଡୁଛି । ପନିପରିବା ଓ ଡାଲି କିଣି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ ।