ସ୍ମାର୍ଟଫୋନରେ ବନ୍ଧା ପଡ଼ିଯାଉଛି ଶୈଶବ । ବ୍ୟସ୍ତ ଜୀବନରେ ମୋବାଇଲ ଦେଇ ପିଲାଙ୍କୁ ବ୍ୟସ୍ତ ରଖୁଥିବା ବାପା ମା’ଙ୍କ ବଢୁଛି ଚିନ୍ତା, ହାତରୁ ମୋବାଇଲ ନେଲେ ସାଂଘାତିକ ପ୍ରତିକ୍ରିୟା ଦେଖାଉଛନ୍ତି ଶିଶୁ ।

381

କନକ ବ୍ୟୁରୋ : ସ୍ମାର୍ଟ ଫୋନ ପ୍ରତି ପିଲାଙ୍କ ଆସକ୍ତି ବଢିବା ବିପଦଜନକ । ତେଣୁ ପିଲାଙ୍କୁ ମୋବାଇଲଠାରୁ ଦୂରେଇ ରଖିବାକୁ ଅଭିଭାବକଙ୍କୁ ସତର୍କ କରାଇଛନ୍ତି ଡାକ୍ତର । କାରଣ ଲକଡାଉନ ସମୟରେ ଅନଲାଇନ ପାଠପଢା ପରେ ପିଲାଙ୍କ ହାତପାଆନ୍ତାକୁ ଆସିଯାଇଥିଲା ମୋବାଇଲ । ହେଲେ ଏକ ଅନୁଧ୍ୟାନରୁ ଜଣାଯାଇଛି, କେବଳ ୧୦ ପ୍ରତିଶତ ପିଲା ମୋବାଇଲରେ ପାଠ ପଢିଛନ୍ତି । ଅନ୍ୟପଟେ ମୋବାଇଲ ଫୋନରେ ଦୀର୍ଘ ସମୟ ବିତାଉଥିବା ପିଲାଙ୍କ ଶୈଶବ ଓ ମାନସିକତା ଉପରେ ଗମ୍ଭୀର ପ୍ରଭାବ ପକାଉଥିବା ଡାକ୍ତର କହିଛନ୍ତି ।

କେଇ ଇଞ୍ଚର ମୋବାଇଲ ପରଦାରେ ଯେମିତି ବନ୍ଧା ପଡ଼ିଯାଇଛି ଶିଶୁର ଶୈଶବ । ଆଉ ଏହି ଆବନ୍ଧ ଜୀବନ ଭିତରେ ଅଜାଣତ ହେଉ ବା ଅଜାଣତରେ ହେଉ, ମୋବାଇଲ ପିଲାଙ୍କ ଉପରେ ଧିରେ ଧିରେ ଭାରି ପଡ଼ିଯାଉଛି, ଆବଶ୍ୟକତାଠୁ ଅଧିକ ଅଭ୍ୟସ୍ତ ହୋଇଯାଉଛନ୍ତି । ଆଉ ଘଂଟା ଘଂଟା ଧରି ଗେମ୍ ଓ ଚାଟରେ ବିତିଯାଉଛି ସମୟ ।

ବାହାରେ ଭୂତାଣୁ ଭୟ, କରୋନା ଯୋଗୁଁ ସ୍କୁଲ ବନ୍ଦ । ଅନଲାଇନ୍ କ୍ଲାସ୍ ଯୋଗୁଁ, ବାପା-ମାଙ୍କ ଅନିଚ୍ଛା ସତ୍ୱେ କୁନି କୁନି ପିଲାଙ୍କ ହାତକୁ ଚାଲିଆସିଛି ସ୍ମାର୍ଟ ଫୋନ୍ । ଆଉ ଏହି ସ୍ମାର୍ଟ ଫୋନ୍ ସହ ପିଲା ଏତେ ଅଭ୍ୟସ୍ତ ହୋଇଗଲେଣି ଯେ, ଫୋନ୍ ତାଙ୍କ ହାତରୁ ଚାଲିଗଲେ, ବେଳେବେଳେ ରାଗି ଯାଉଛନ୍ତି, ଅତ୍ୟନ୍ତ ଦୁଃଖି ହେଇଯାଉଛନ୍ତି ।

କିଛି ଦିନ ତଳେ ହରିଚନ୍ଦନପୁର ଅଞ୍ଚଳରେ ମୋବାଇଲ ପାଇଁ ଜଣେ ଦଶମ ଶ୍ରେଣୀର କୁନି ପିଲାର ଜୀବନ ଚାଲିଗଲା । ଘରେ ଥିବା ମୋବାଇଲ ଭାଙ୍ଗିଯିବାରୁ, ପିଲା ଜଣକ ଏତେ ଭାଙ୍ଗିପଡ଼ିଥିଲା ଯେ, ଖାଇବା ପିଇବା ଛାଡ଼ି ଦେଇଥିଲା । ଶେଷରେ ମୋବାଇଲକୁ ଝୁରିଝୁରି ପିଲାଟି ଅସୁସ୍ଥ ହୋଇପଡ଼ିଲା ଏବଂ ଶେଷରେ ଆଖି ବୁଜିଦେଲା ।

ପିଲାଙ୍କ ଅଧିକାର ପାଇଁ କାମ କରୁଥିବା ଏନସିପିସିଆର୍ ଏକ ରିପୋର୍ଟରେ କହିଛି, ମାତ୍ର ୧୦ ପ୍ରତିଶତ ପିଲା ମୋବାଇଲ ଫୋନକୁ ଅନଲାଇନ୍ କ୍ଲାସ ପାଇଁ ବ୍ୟବହାର କରୁଛନ୍ତି । ୫୯ ପ୍ରତିଶତ ପିଲା ସ୍ମାର୍ଟ ଫୋନକୁ ହ୍ମାର୍ଟସଆପ୍, ଫେସବୁକ୍ ଆଦି ପାଇଁ ବ୍ୟବହାର କରୁଛନ୍ତି, ଗେମ୍ ମଧ୍ୟ ଖେଳୁଛନ୍ତି । ଆଉ ଏସବୁ ଭିତରେ କରୋନା କାଳରେ କୁନି ପିଲାଙ୍କ ଭବିଷ୍ୟତକୁ ଜଗିବା ଏବେ ଜରୁରି ହୋଇପଡ଼ିଛି ।