ସାଙ୍ଗ ହେବ ତ ଏମିତି…ସାଙ୍ଗର ଚିକିତ୍ସା ପାଇଁ ଘର ଘର ବୁଲି ଟଙ୍କା ମାଗୁଛନ୍ତି ପିଲା ଦିନର ସାଙ୍ଗ।

294

କନକ ବ୍ୟୁରୋ: ଯିଏ ସୁଖ ସାମିଲ ହେଉଥିବ ଦୁଃଖରେ ହାତ ଧରିଥିବ, ସେ ହିଁ ବନ୍ଧୁ । ସେଥିପାଇଁ କୁହାଯାଏ, ଜଣେ ଭଲ ସାଙ୍ଗ ଥିଲେ ଭାଇ ବା ଭଉଣୀର ଅଭାବ ରୁହେନି । ତେବେ ଗଞ୍ଜାମ ଜିଲ୍ଲାର ଏକ ଘଟଣା ପ୍ରକୃତ ବନ୍ଧୁଙ୍କ ପରିଭାଷା ବୁଝାଇ ଦେଇଛି । ସାଙ୍ଗ ଫୁସଫୁସ କ୍ୟାନସରରେ ପୀଡିତ ହୋଇ ଡାକ୍ତରଖାନାରେ ଜୀବନ ମୃତ୍ୟ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ ଟଙ୍କା ସଂଗ୍ରହରେ ଲାଗିପଡିଛିନ୍ତି ଅନ୍ୟ ସାଙ୍ଗମାନେ ।

ଡାକ୍ତରଖାନା ବେଡରେ ପଡି ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପଣ୍ଡା ସାହିର ମହିମା ନାହକ । ବିବାହ ମାତ୍ର ୪ ମାସରେ ଫୁସଫୁସ୍ କ୍ୟାନସର ପୀଡିତ ବୋଲି ଜଣାପଡିବା ପରେ ମହିମାଙ୍କ ଦୁନିଆରେ ଘୋଟି ଆସିଛି ବହଳ ଅନ୍ଧାର । ଡାକ୍ତରଖାନାରେ ଜୀବନ ମୃତ୍ୟୁ ସହ ସଂଘର୍ଷ ଚାଲିଥିବା ବେଳେ ମହିମାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡରେ ଲାଗିଛନ୍ତି ତାଙ୍କ ପିଲାଦିନର ସାଙ୍ଗସାଥୀ । କୋଦଳା ଓ ଆଖପାଖ ଅଞ୍ଚଳରେ ଘରକୁ ଘର ବୁଲି ସାଙ୍ଗ ପାଇଁ ସାହାଯ୍ୟ ମାଗୁଛନ୍ତି ସାଙ୍ଗ ।

୨ ମାସ ହେଲା ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ମହିମାଙ୍କ ଚିକିତ୍ସା ଚାଲିଥିବା ବେଳେ ଏଥିପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ । ହେଲେ ତାଙ୍କ ପରିବାର ଏତେ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ । ତେଣୁ ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ ମାଗୁଛନ୍ତି ସାଙ୍ଗ । ଆଉ ସେମାନଙ୍କ ସାଥ ଦେଇଛି କୋଦଳାର ଶ୍ରବଣ ସେବା ଅନୁଷ୍ଠାନ  । ସାମସ୍ତଙ୍କ ମୁଁହରେ ଗୋଟିଏ କଥା, ସାହାଯ୍ୟ ମିଳିଲେ ସେମାନଙ୍କ ସାଙ୍ଗ ନିଶ୍ଚୟ ସୁସ୍ଥ ହୋଇ ଘରକୁ ଫେରିବ ।