ଝିଅର ଦାମ ୩୦ ହଜାର, ପୁଅର ଦାମ ୪ ଲକ୍ଷ । ରାଉରକେଲାରେ ବଡ଼ଧରଣର ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ

221

କନକ ବ୍ୟୁରୋ: ପିଲା ବିକ୍ରି ପାଇଁ ଫୋନ ମାଧ୍ୟମରେ ଚାଲିଛି ମୂଲଚାଲ । କୌଣସି ବାହାଘର ପାଇଁ ଯେମିତି ପୁଅ, ଝିଅର ଫଟୋ ପଠାଇ ପସନ୍ଦ କରିବାକୁ ମଧ୍ୟସ୍ଥି କହିଥାଏ, ଠିକ୍ ସେହିପରି ଜଣେ ଦଲାଲ ଛୋଟ ପିଲାର ଫଟୋ ପଠାଇ ଜଣେ ସାମାଜିକ କର୍ମୀଙ୍କ ସହ ମୂଲଚାଲ କରିଥିଲା । ଆଉ ପସନ୍ଦ ହେବା ପରେ ପିଲାର ଦାମ କହିଥିଲା । ଯେମିତି କୌଣସି ଦ୍ରବ୍ୟର ଭଳି ଦାମ ଭଳି ରେଟ୍ ଛିଡାଉଥିଲା ଏହି ଦଲାଲ । ପୁଅର ଦାମ ୩ରୁ ୪ଲକ୍ଷ ହୋଇଥିବାବେଳେ ଝିଅର ଦାମ ଥିଲା ୫୦ ହଜାର ପର୍ଯ୍ୟନ୍ତ ।

ଏହା ସାମନାକୁ ଆସିବା ପରେ ରାଉରକେଲାରେ ଚାଲିଥିବା ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଶିଶୁ ବିକ୍ରି ର୍ୟାକେଟର କିଙ୍ଗପିନ୍ ସଂଗୀତା ଅଗ୍ରୱାଲଙ୍କ ସ୍ୱାମୀ ଜିତେନ୍ଦ୍ର ଅଗ୍ରୱାଲ ଓ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ସୋମବାର ୭ଜଣ ଗିରଫ ହୋଇଥିବାବେଳେ ମଙ୍ଗଳବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ବିକ୍ରି ହେବାକୁ ଥିବା ୨ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

ସାଂଘାତିକ କଥାଟି ହେଉଛି ଏହି ରାକେଟରେ ସଂପୃକ୍ତ ଅପରାଧୀ, ପ୍ରଥମେ ନିରୀହ ଗରିବଙ୍କୁ ଯୋଗାଯୋଗ କରୁଥିଲେ । ପିଲା ବିକ୍ରି କରିବାକୁ ଟଙ୍କାର ଲୋଭ ଦେଖାଉଥିଲେ । ଦୁର୍ଦୀନରେ ଥିବା ଲୋକ ପଇସା ଲୋଭରେ ପିଲା ବିକ୍ରି କରିବାକୁ ରାଜି ହୋଇଯାଉଥିଲେ, ଆଉ ନିଜ ଜନ୍ମକଲା ଛୁଆକୁ ବିକ୍ରି କରୁଥିଲେ । ତେବେ ସହରରୁ କେତେ ଶିଶୁ ଓ ନବଜାତକଙ୍କୁ ଏମାନେ ରାଜ୍ୟ ବାହାରେ ବିକ୍ରି କରିଛନ୍ତି ସେନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।