କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା : ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ; ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଘଟଣା । ମହିଳା ଆଟେଣ୍ଡାଣ୍ଟ ନିଲମ୍ବିତ । ହସ୍ପିଟାଲ ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟନୁଷ୍ଠାନ । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଆଣିଥିଲେ ପ୍ରାଣକୃଷ୍ଣ ବିଶ୍ୱାଳ । ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ତାଙ୍କୁ ଜଣାଇଥିଲେ । ହେଲେ ଶିଶୁ ହସ୍ତାନ୍ତର ବେଳେ ତାଙ୍କୁ କନ୍ୟା ସନ୍ତାନ ଦିଆଯାଇଥିଲା । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ ପରିବାର ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳ ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ ଘର ଭଡ଼ା ନେଇ ରହନ୍ତି । ତାଙ୍କ ପତ୍ନୀଙ୍କର ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଆଜି ସକାଳ ୧୦ଟା ୧୫ ସମୟରେ ତାଙ୍କ ପତ୍ନୀଙ୍କର ଅସ୍ତ୍ରୋପଚାର ହୋଇଥିଲା ଓ ଏକ ଶିଶୁ ଜନ୍ମ ଗ୍ରହଣ କରିଥିଲା । ଏହାର ୬ ମିନିଟ୍ ପରେ ଅନ୍ୟ ଏକ ଓଟିରେ ଆଉ ଜଣେ ମହିଳା ମଧ୍ୟ ଏକ ଶିଶୁକୁ ଜନ୍ମ ଦେଇଥିଲେ ।
ଓଟି ମଧ୍ୟରୁ ଜଣେ ଆଟେଣ୍ଡାଣ୍ଟ ଆସି ପ୍ରାଣକୃଷ୍ଣଙ୍କର ପୁଅ ହୋଇଥିବା କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ । କିନ୍ତୁ ଏହାର କିଛି ସମୟ ପରେ ଫଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଆପତ୍ତି ଉଠାଇଥିଲେ । କିନ୍ତୁ ପ୍ରସବ କରାଇଥିବା ଡାକ୍ତର, ସେଠାରେ ଥିବା ନର୍ସ ଓ ଅନ୍ୟ କର୍ମଚାରୀମାନେ ତାଙ୍କର ଝିଅ ହୋଇଛି ଏବଂ ପରେ ଅନ୍ୟଜଣଙ୍କର ପୁଅ ହୋଇଥିବା ତାଙ୍କୁ ବୁଝାଇଥିଲେ। କିନ୍ତୁ ଏହାକୁ ଗ୍ରହଣ କରି ନଥିଲେ ପ୍ରାଣକୃଷ୍ଣ ।