କିଏ ଶୁଣିବ ପ୍ରମିଳାର ଦୁଃଖ? ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଚାଲିଗଲା କୁନି ଝିଅର ଦୃଷ୍ଟିଶକ୍ତି…ସହାୟତା ପାଇଁ ଆସି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ନପାରି ନିରାଶ ହେଲେ ବାପାମାଆ

974

କନକ ବ୍ୟୁରୋ: ଜୀବନ ୧୦ ବର୍ଷ ଆଲୋକ ଦେଖିବା ପରେ ଅଚାନକ ଏକ ଅସ୍ତ୍ରୋପଚାର ପରେ ପ୍ରମିଳା ଜୀବନରେ ସତେଯେମିତି ଘୋଟି ଯାଇଛି ଅନ୍ଧକାରର କଳା ବାଦଲ । ଏବେ ଖାଲି ଏହି ଅବୁଝା କୁନି ଝିଅର ଗୋଟିଏ ପ୍ରଶ୍ନ ‘ବାପା ମୁଁ କେବେ ଦେଖିପାରିବି ଆଉ ସ୍କୁଲ ଯାଇ ପାଠ ପଢିବି ।’ ଆଉ ଝିଅର ଏହି ପ୍ରଶ୍ନର ଉତ୍ତର ଦେଇନପାରି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ପ୍ରମିଳାର ବାପାମାଆ । କାହିଁକି ନା ପ୍ରମିଳାର ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ପରେ ସର୍ବସ୍ୱାନ୍ତ ହୋଇପଡିଥିବା ତାଙ୍କ ପରିବାର କୁନି ଝିଅର ଦୃଷ୍ଟିହୀନତାକୁ କିଭଳି ମୁକାବିଲା କରିବେ ସେ ନେଇ ଭାରାକ୍ରାନ୍ତ ହୋଇପଡିଛନ୍ତି । ଆଉ ଝିଅର ଚିକିତ୍ସା ପାଇଁ ସହାୟତାର ଆଶା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟିବା ପାଇଁ ସମ୍ବଲପୁର ତାଲୁପାଲି ଗାଁରୁ ସେମାନେ ଧାଇଁ ଆସିଥିଲେ ରାଜଧାନୀ ଭୁବନେଶ୍ୱରକୁ । କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ନପାରି ଶେଷରେ ନିରାଶ ହୋଇ ତାଙ୍କୁ ଫେରିବାକୁ ପଡିଛି ।

ତେବେ ପ୍ରମିଳାକୁ ଯେତେବେଳେ ମାତ୍ର ୪ ବର୍ଷ ହୋଇଥିବା ସେତେବେଳେ ତାର ଦେହ ସବୁବେଳେ ଅସୁସ୍ଥ ରହୁଥିଲା । ଯେଉଁକାରଣରୁ ତାକୁ ଚିକିତ୍ସା ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ଏଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଥିଲା କି ପ୍ରମିଳା ବ୍ରେନ ଟୁାମର ରୋଗରେ ଆକ୍ରାନ୍ତ ହୋଇଛି ଏବଂ ବୁର୍ଲା ଡାକ୍ତରଖାନାରେ ଏହାର ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତରମାନେ ରୋକ୍ ଠୋକ୍ ଶୁଣାଇଦେଇଥିଲେ । ତେବେ ।କୁନି ଝିଅର ଏଭଳି ଅବସ୍ଥା ଦେଖି ବାପାମାଆଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କଣ କରିବେ କିଭଳି ଝିଅକୁ ଭଲ କରିବେ ତାଙ୍କ ମୁଣ୍ଡରେ କିଛି ଜୋଟୁ ନଥିଲା , ଶେଷେର ସେମାନେ ପ୍ରମିଳାର ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ କରିଥିଲେ ।

 

୨୦୧୯ ମସିହା ଯାଏଁ ସବୁକିଛି ଠିକ୍ ଠାକ୍ ଥିଲା । ମାତ୍ର ୩ ମାସ ପୂର୍ବରୁ ପୁଣି ଥରେ ପ୍ରମିଳାକୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଏହାପରେ ପୁଣି ତାର ଚିକିତ୍ସା କରାଯାଇଥିଲା । ତେବେ ଅପରେସନ ପରେ ପ୍ରମିଳା ସୁସ୍ଥ ହୋଇଥିବା ଡାକ୍ତରମାନେ କହିଥିଲେ । କିନ୍ତୁ ଏବେ ପୁଣି ଏକ ସମସ୍ୟା କୁନି ଝିଅ ପ୍ରମିଳାର ଜୀବନରେ ଘୋଟି ଯାଇଛି । ପ୍ରମିଳା ଏବେ ଦେଖି ପାରୁନାହିଁ । ପ୍ରଥମ ଅସ୍ତ୍ରୋପଚାର ପରେ ୪ ଲକ୍ଷ ଏବଂ ଦ୍ୱିତୀୟ ଅସ୍ତ୍ରୋପଚାର ବେଳେ ଓଏସଟିଏଫ ସହାୟତା ପରେବି ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଗଲାଣି । ତେବେ ପ୍ରମିଳାଙ୍କ ବାପା ଜଣେ ଛୋଟିଆ ପ୍ରାଇଭେଟ୍ ଚାକିରିଆ ହୋଇଥିବାରୁ ବର୍ତ୍ତମାନ ଝିଅର ଆଖି ଚିକିତ୍ସା କିଭଳି ହେବ ଏନେଇ ପରିବାର ପାଖରେ ବଡ ପ୍ରଶ୍ନ ଛିଡା ହୋଇଛି ।