ଫେରାଇ ଦିଅ ମୋ ପୁଅକୁ ! ସମ୍ବଲପୁର ହସ୍ପିଟାଲରେ ଅସହାୟ ମା’ର ଆକୁଳ ନିବେଦନ

31

କନକ ବ୍ୟୁରୋ : ମୋ ଛୁଆକୁ ଫେରାଇ ଦିଅ । ସମ୍ବଲପୁର ସଦର ହସ୍ପିଟାଲରେ ଅସହାୟ ମାଆର ଆକୁଳ ନିବେଦନ । ୯ ମାସ ଧରି ଯାହାକୁ ଗର୍ଭରେ ଧାରଣ କରିଥିଲା, ୯ ମିନିଟ ବି ଆଖି ପୁରାଇ ଦେଖିବାର ସୁଯୋଗ ମିଳିଲାନି । କୋଳ ଖାଲିକରି ଛୁଆକୁ ଛଡାଇ ନେଲା ଜଣେ ରହସ୍ୟମୟୀ ମହିଳା । ନବଜାତ ଶିଶୁଟି କେଉଁଠି ଥିବ, କେମିତି ଥିବ ସେହି ଚିନ୍ତାରେ ମାଆ ଓ ସଂପର୍କୀୟ ।

ଏପଟେ ସୁରକ୍ଷାରେ ଅବହେଳା କାରଣରୁ ୨ଜଣ ଠିକା ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରିଛନ୍ତି ସିଡିଏମଓ । ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତି ନହୁଏ ସେଥିପାଇଁ କଡାକଡି ହୋଇଛି ନିୟମ । ପ୍ରସୂତି ଓ ସ୍ତ୍ରୀ ରୋଗ ୱାର୍ଡରେ ପଡିଛି ତାଲା । ରୋଗୀଙ୍କ ସଂପର୍କୀୟଙ୍କୁ ଦିଆଯାଉଛି ଗେଟ୍ ପାସ୍ । ବିନା ପାସରେ କାହାରିକୁ ଭିତରକୁ ନଛାଡିବାକୁ ନିର୍ଦ୍ଦେଶ ରହିଛି । ତେବେ ଛୁଆ ଚୋରି ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା ।

ଏସବୁ ଭିତରେ କୁଆଡେ ଗଲେ ସେହି ହଳଦିଆ ଶାଲ ପିନ୍ଧା ମହିଳା? ସିସିଟିଭି ଫୁଟେଜକୁ ଆଧାର କରି ଏହି ରହସ୍ୟମୟୀ ମହିଳାଙ୍କୁ ଖୋଜୁଛି ପୋଲିସ । ୫ଟି ଟିମ୍ ଗଠନ କରି ଛାନଭିନ କରାଯାଉଛି । ହସ୍ପିଟାଲରେ ପଚରା ଉଚରା ପରେ ମହିଳା ଜଣକ ସ୍ଥାନୀୟ ଅଂଚଳର ବୋଲି ପୋଲିସ ଅନୁମାନ କରୁଛି ।

ଛୁଆ ଚୋରି ଘଟଣାକୁ ୨୪ ଘଂଟାରୁ ଅଧିକ ସମୟ ବିତି ଯାଇଥିଲେ ବି ନା ଶିଶୁ ନା ସେହି ମହିଳା, କାହାରି ଖୋଜ ଖବର ପାଇନାହିଁ ପୋଲିସ ।